STORYMIRROR

Bibhu Samanta

Romance

3  

Bibhu Samanta

Romance

ସୃଷ୍ଟି

ସୃଷ୍ଟି

1 min
195

ସାଦା ରୁମାଲରେ

ରେଶମୀ ସୁତାର ଫୁଲଟିଏ ବୁଣିଲା ବେଳେ

ସତ୍ୟ - ଶିବ - ସୁନ୍ଦରକୁ 

ରଙ୍ଗରେ କଳନା କଲେ

ତା ହାତର

ଶଙ୍ଖା ଦିପଟ ଇନ୍ଦ୍ରଧନୁକୁ

ଆକଟ କରେ।


ଛୁଞ୍ଚି ମୁନରେ 

ଆଖି ତଳର ସ୍ୱପ୍ନ ସବୁକୁ

ସାଉଣ୍ଟି ଗଣ୍ଠି ଦେଲା ବେଳେ

 ବିନ୍ଦୁ ବିନ୍ଦୁ ଶିଶିର ଟୋପା 

ତା କବରୀରୁ ଝରି ମୁକ୍ତା ହୁଏ। 


ତାରାର ତାରକସିରେ

ସମ୍ପର୍କ ଛନ୍ଦି ହେଲା ବେଳେ

ପତ୍ର ଫାଙ୍କରୁ ଚେନାଏ ଜ୍ୟୋତ୍ସ୍ନା ଦେଖିଲେ

 ତା ଆଖିର କଜଳ କବିତା ଲେଖେ 


ଫେରେ, 

ଦାଣ୍ଡ ପିଣ୍ଡାରୁ ଉଡ଼ି ଯାଉଥିବା

ବଣି ଚଢ଼େଇକୁ

ରାଣ ପକେଇ ଯେବେ ସେ ଡାକେ 

ଆ...ପି ଦେଇ ଯିବୁ 

ମୁନ୍ଦେ ତୋରାଣି ।

ପାଉଁଜିଟା ତାର ଶିକୁଳି ହୁଏ।


ଗାଧୁଆ ଘରେ ସରି ଆସୁଥିବା

ସାବୁନର ବାସ୍ନାକୁ କେବେ କଣ 

ବାନ୍ଧି ହେବ ଗୋଟିଏ ସୂତାରେ !

ନା ବୟସକୁ ଲୁଚେଇ ହେବ 

ଦାମୀ ପାଟ ଲୁଗାରେ?

ତଥାପି 

ଓଠରେ ପ୍ରେମ ମାଖି

ଜୀବନକୁ ହାତ ବଢ଼େଇଲେ

ସେ କଣ କୋଳେଇ ନେବ ନିସର୍ତ୍ତରେ? 

ନା ଆଇନାରୁ ଧୂଳି ଝାଡି

ହସୁଥିବ ସେ କାନ୍ଥ ଘଣ୍ଟାର

ଟିକ୍ ଟିକ୍ ସ୍ଵରରେ !


ନିଦକୁ ଡାକି ଦେଇ

ଆଖି ଯେବେ ଅନ୍ଧାର ଖୋଜେ

ସେତିକିବେଳେ ଗୀତ ଗାଏ କୃଷ୍ଣଚୁଡ଼ା

ପଣତ କାନିରେ ବନ୍ଧା 

ଚାବି ନେନ୍ଥା ଶବ୍ଦ କରେ।


ରୁମାଲର ଫୁଲ ଫୁଟି

ଶେଫାଳୀ ହୋଇ ମହକିଲେ

ବଣି ଚଢ଼େଇଟା ଡେଣା ଝାଡି

ଆକାଶ ଛାତିରେ ମୁହଁ ଗୁଞ୍ଜେ

 ଗୋରା ପାଦ ତାର ଅଳତା ନାଏ।


 ଚା କପକୁ ଦୂରକୁ ଠେଲି

ଫୁଲ କୁଣ୍ଡରେ ପାଣି ଦେଲେ

 ମନ୍ଦାକିନୀ ତଟେ କ୍ଳାନ୍ତି ସବୁ

ସହସ୍ର ପଦ୍ମ ପାଖୁଡ଼ା ଏକା ସଙ୍ଗେ

 କ୍ଷଣିକେ ସାଗର ପହଁରି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance