ସହରୀ କୁନି ଓ ଜଙ୍ଗଲୀ ବାଇ ଚଢେଇ
ସହରୀ କୁନି ଓ ଜଙ୍ଗଲୀ ବାଇ ଚଢେଇ
କୁନି ଯାଇଥିଲା ମାମୁଁଘରକୁ
ସାଙ୍ଗରେ ଥିଲା ତା ଭାଇ
ସ୍କୁଲ ଛୁଟି ହେଇଚି ବୋଲି
ଡାକିଛି ତାକୁ ଆଈ ।
ଦେଖିଲା କୁନି
ପାହାଡ଼ ନଈ
ଗହଳ ଗଛ ଛାଇ
ଖରାବେଳରେ ଏମିତି ଥଣ୍ଡା
ଆମ ସହରେ କାହିଁ ନାହିଁ ।
କହିଲା କୁନି
ଦେଖିଲୁ ଭାଇ
ଉଚ୍ଚା ଗଛରେ ଦୋଳି ଖେଳୁଛି କିଏ?
କୁନି ଡେଣାରେ
ଡାଳ ରୁ ଡାଳ ଉଡି ବୁଲୁଛି
କୋଉଠି ସେ ରୁହେ ??
କହିଲା ଭାଇ
ହୁଣ୍ଡିଟା କିଲୋ !
ଦେଖୁଛୁ ଯୋଉ ବାୟା ବସା
ବାଆରେ ଖେଳେ ଦୋଳି
ନାଆଁଟି ତାର ବାଇ ଚଢେଇ
ସବୁ ତ ଗଲୁଣି ଭୁଲି।
ଡାକିଲା କୁନି
ବାଇ ଚଢେଇ ଲୋ ବାଇ ଚଢେଇ
ଏତେ ଉଚ୍ଚ ଡାଳେ ରହିଛୁ କାହିଁ?
ଆ ମୋ ସାଙ୍ଗେ
ବୁଲେଇ ନେବି
ମେଳାରେ ମିଠେଇ କିଣେଇ ଦେବି
ସହର ଆମ ବଢିଆ କେତେ
ଦେଖିଛୁ କେବେ ତୁହି?
ହସି କହିଲା ବାଇଚଢ଼େଇ
ସହର ତୁମ ସୁନ୍ଦର ସିନା
ସବୁଜ ଗଛ କାହିଁ?
ଯୁଆଡେ ଦେଖ ଅଳିଆ ଗଦା
ମୋ ରହିବା ଜାଗା କାହିଁ?
ଯୁଆଡେ ଦେଖ...
ଉଚ୍ଚା ଉଚ୍ଚା କୋଠା
ମୋ ଉଡିବା ଜାଗା କାହିଁ?
ଏଇଠି ଦେଖ..
ସବୁଜ ଗଛ
ଧୂଳି ଧୂଆଁ ତ ନାହିଁ
କେତେ ସୁନ୍ଦର ଗଛ ପତର
ସୋର ଶବଦ ନାହିଁ ।
ଝରଣା ଆମ ସ୍ୱଚ୍ଛ କେତେ
ଭାରି ମିଠା ତା ଜଳ
ଗଛରୁ ଗଛ ଉଡି ଉଡ଼ିକା
ଖାଉଛୁ କେତେ ଫଳ।
ନାଚ ଖେଳରେ ସମୟ କଟେ
ଏମିତି ସୁଖ କାହିଁ?
ଜଙ୍ଗଲ ମୋର ସରଗ ପରା
ଟିକି ପରୀ ଟେ ମୁହିଁ ।।
କହିଲା କୁନି
ସତ କହିଲୁ ବାଇ ଚଢେଇ
ଜଙ୍ଗଲ ପାଇଁ ଜୀବ ଜଗତ
ନହେଲେ ମଣିଷ କେମିତି ପାରନ୍ତା ରହି?
ଆଜିଠୁ ମୁଁ ଶପଥ କଲି
ତୋ ପାଇଁ ସହର ସଫା ରଖିବି
ନାନା ଜାତି ଗଛ ଲଗେଇ ଦେବି
ଆସିବୁ ତୁ ଆମ ଘରକୁ
ଖେଳିବା ସାଙ୍ଗ ହୋଇ ।।