ବରଷା ଆସଇ ଜଗତ ହସଇ
ବରଷା ଆସଇ ଜଗତ ହସଇ


ବରଷା ଆସଇ ଜଗତ ହସଇ
ଆକାଶ ରେ ମେଘ ଭାସେ
ତାତି ରୁ ମୁକତି ମିଳେ ଟିକେ ଶାନ୍ତି
ଦିଗ ଚଉଦିଗ ହସେ।
ପହିଲି ରଜରେ ପହିଲି ଅସରା
ଆଷାଢ ଥାପଇ ପାଦ
କୋହଲା ପାଗରେ ବାଆ ସୁଲୁସଲୁ
ପବନ ତୋଳଇ ଛନ୍ଦ।
ଭିଜା ଭିଜା ମାଟି ମହକ ମହକି
ଆଖିରେ ସପନ ଭରେ
ବିଷମ ଗ୍ରୀଷମ ହୁଏ ଉପଶମ
ତାତିର ରାଜୁତି ସରେ
ଶୀତଳ ସକାଳ ଛାଇ ଛଳ ଛଳ
ମଧୁର ହୁଅଇରାତି
ମେଘ ବରଷିଲେ କାଲୁଆ ପବନେ
ଉଲୁସି ଉଠଇ ଛାତି।
ଆକାଶ ଛାତିରେ ବଉଦ ରୋଷଣୀ
ଘଡଘଡି କରେ ରଡି
ସାଧବ ବୋହୁତ ଲୁଚିଥାଏ କାହିଁ
ବାହାରଇ ପାଦ କାଢି ।
ବାହ୍ମୁଣୀ ବେଙ୍ଗ ଟା ରାତିରେ ବାହୁନେ
ହୋଇଲେ ବରଷା ଝଡି
କଉ ମାଛ ସବୁ ପାଣି ରୁ ବାହାରି
ଗଛରେ ଯାଆନ୍ତି ଚଢ଼ି।
ଜାତି ଜାତି ସାପ କଙ୍କଡା ବିଛା ତ
ବିଲ ବାଡି ବୁଲୁଥାନ୍ତି
ତେଲୁଣୀ ପୋକତ ବାଟେ ଘାଟେ ସବୁ
ସାଲୁବାଲୁ ହେଉଥାନ୍ତି।
ସବୁଜିମା ହୁଏ ପଡିଆରେ ନେସି
କଅଁଳଇ ନୂଆ ଘାସ
ରାତିରେ ଫୁଟଇ ସେଫାଳୀ ଫୁଲ ଲୋ
ମହକଇ ଦଶଦିଶ।
ଜଗତ ବାସୀ ଏ ମଉଷୁମୀ ମେଘ
ବାଟ ଚାହିଁ ବସିଥାନ୍ତି
ମେଘ ବରଷିଲେ ଚାଷବାସ କାମ
ହାତ ଠାରେ କ୍ଷେତ ମାଟି।
ଧାନ ବୁଣାବୁଣି ରୁଆ ବେଉଷଣ
ଚଷା ଙ୍କୁ ନଥାଏ ତର
ଚାଷ ତରତର ବଣିଜ ମଠଲୋ
ପାଣିପାଗ କୁ ଯା ଡର।
ଝାମ୍ପି ପକ୍ଷିଆ ରେ ମୁଣ୍ଡ କୁ ଘୋଡେ଼ଇ
ଚଷା ଭାଇ ଖଟୁଥାଏ
ଝଡି ବରଷା କୁ ଖାତର ନକରି
ଚାଷ କାମେ ଲାଗିଥାଏ।
ବରଷା ଦିନିଆ ପନି ପରିବା ଲୋ
ସୁଆଦିଆ ଲାଗେ ଭାରି
ଜାତି ଜାତି ଛତୁ ବର୍ଷାଦିନେ ମିଳେ
ହୁଏ ଭଲ ତରକାରୀ।
ପିଢାରେ ମାଡ଼ଇ କଖାରୁ ଡଙ୍କଲୋ
ଫୁଲ ଫୁଟି ଝଲମଲ
କଖାରୁ ଫୁଲ ର ପିଠା ସୁଆଦ କୁ
କିଏ ହେବ କହ ତୁଲ?
ଲଗାଣ ବରଷା ଲାଗି ରହେ ଯଦି
ପାଣି ଭରା ଚଉଦିଗେ
ନଈବଢି ଆସି ଆଖି ତରାଟେଲୋ
ଦେଖିଲେ ଛାନିଆ ଲାଗେ।
ପାଣି ପଚପଚ କାଦୁଅ ଖସଡ଼ା
ବନ୍ଧବାଡ ବିଲବାଡ଼ି
ପାଦ ଚିପି ଚିପି ବାଟ ନଚାଲିଲେ
ପାଦ ଖସି ଯିବ ପଡି।
ମେଘ ବରଷିଲେ ଗାଁଆ ଦାଣ୍ଡେ ଦାଣ୍ଡେ
ପାଣି ଶୁଅ ଉଛୁଳଇ
କାଗଜ ଡଙ୍ଗା ତ ଭସାନ୍ତି ପିଲାଏ
ଆନନ୍ଦେ ବିଭୋର ହୋଇ।
ବରଷା ଦିନରେ ଥଣ୍ଡା ସର୍ଦ୍ଦି କାସ
ହୁଏ ପୁଣି ଥଣ୍ଡା ଜ୍ବର
ଭିଜିବାକୁ ଭାରି ଭଲଲାଗେ ବୋଲି
ପିଲାଙ୍କୁ ରୋଗଙ୍କ ଡର।
ବରଷା ଋତୁର ମନଛୁଆଁ ପର୍ବ
ପାଳୁ ଆମେ ମିଳିମିଶି
ରଜ ରଥ ରାକ୍ଷୀ କାଉଡ଼ିଆ ଡାକ
କେତେ ହସ କେତେ ଖୁସି ।
ରଜ ଦୋଳି ଖେଳ ମକର ସଙ୍ଗାତ
ତୋଟା ରେ ସଭିଏଁ ଠୁଳ
ରଜ ପାନ ଖାଇ ସାହି ବୁଲାବୁଲି
ଝିଅ ବୋହୂଙ୍କର ମେଳ ।
ରଜ ପୋଡ଼ ପିଠା ଭାରି ସୁଆଦିଆ
ହୁଏନାହିଁ ଜମା ଭୁଲି
ରଜରେ ଆସନ୍ତି ପ୍ରବାସୀ ମାନେତ
ଘରକୁ ତାଙ୍କର ବୁଲି ।
ଆଷାଢ଼ ଆରମ୍ଭେ ଅଣସର ଲୀଳା
ମହାପ୍ରଭୁଙ୍କର ହୁଏ
ଅଣସର ବେଳେ ଅଲାରନାଥଙ୍କ
ପୀଠ ଯେ ଉଛୁଳୁଥାଏ ।
ଆଷାଢ ମାସର ଅମାବାସ୍ୟା ଦିନ
ନବଯଉବନ ରୂପ
ମହାପ୍ରଭୁ ଙ୍କର ସେ ରୂପ ଦର୍ଶନେ
ଧୋଇଯାଏ ପାପ ତାପ ।
ଆଷାଢ଼ ମାସରେ ରଥ ଯାତରା ଲୋ
ନବଦିନ ଦିବ୍ୟ ଲୀଳା
ରଥରେ ବାମନ ରୂପ ଦରଶନ
ଉଣା କରେ ଭବ ଜ୍ବଳା।
ଗୁଣ୍ଡିଚା ଘରକୁ ଯାଆନ୍ତି ଠାକୁରେ
ତିନିରଥେ ବିଜେ ହୋଇ
ରଥ ଦଉଡି କୁ ଟାଣନ୍ତି ଭକତ
ଭାବରେ ବିଭୋର ହୋଇ ।
ଜନମ ବେଦୀ ରେ ନବଦିନ ଲୀଳା
ଚତୁର୍ଦ୍ଧା ମୂରତି ସାରି
ବାହୁଡା଼ ରେ ଦିଅଁ ବଡ଼ଦେଉଳକୁ
ରଥରେ ଆସନ୍ତି ଫେରି
ବାହୁଡା଼ ବାସୀ ତ ରଥପରେ ଦିଅଁ
ହୋଇଥାନ୍ତି ସୁନା ବେଶ
ସେହି ଦିନ ପୁଣି ଶୟନ ଲୀଳା ତ
କରିଥାନ୍ତି ଜଗଦୀଶ।
ଆଷାଢ ର ସେହି ଶୁକ୍ଳ ଏକାଦଶୀ
ଠାକୁରେ ପଡନ୍ତି ଶୋଇ
ଚାରିମାସ ତାଙ୍କ ଏ ଶୟନ ଲୀଳା
ଶିବ ପାଳିଥାନ୍ତି ମହୀ ।
ଆଷାଢ ପୂର୍ଣ୍ଣିମା ବ୍ୟାସଦେବ ଙ୍କର
ପବିତ୍ର ଜନମ ଦିନ
ଗୁରୁ ପୂର୍ଣ୍ଣିମା ସେ ଗୁରୁଙ୍କୁ ପୂଜନ୍ତି
ଭକତି ରେ ଶିଷ୍ୟ ଗଣ।
ଆଷାଢ ର ଅନ୍ତେ ଧାରା ଶିରାବଣ
ନିଇତି ବରଷା ହୁଏ
ଶ୍ରାବଣୀ ବ୍ରତ ଏ ମାସରେ କରିଲେ
ପାପ ତାପ ଧୋଇ ଯାଏ।
ନଈ ପୋଖରୀ ର ପବିତ୍ର ଜଳକୁ
ନିଷ୍ଠା ରେ ଭକତେ ନେଇ
ଖାଲି ପାଦରେ ତ ବାଟ ଚାଲିଥାନ୍ତି
ବୋଲ୍ ବମ୍ ଗୀତ ଗାଇ।
ସୋମବାର ଦିନ ସକାଳୁ ସକାଳୁ
ଶିବ ମନ୍ଦିର କୁ ଯାଇ
ଶିବଙ୍କ ମଥାରେ ଢାଳନ୍ତି ଭକତେ
ଜଳ କଳସୀ କୁ ନେଇ।
ଶ୍ରାବଣ ମାସର ଅମାବାସ୍ୟା ଦିନ
ଶ୍ରୀକ୍ଷେତ୍ରେ ଉତ୍ସବ ହୁଏ
ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ମଥାରେ ସେଦିନ
ଚିତାଲାଗି ହୋଇଥାଏ।
ଚଷା ଘରେ ହୁଏ ଚିତୋଉ ପିଠାଲୋ
ନଡ଼ିଆ ଚାଉଳ ବାଟି
ଗେଣ୍ଡା କୋଚିଆ ଙ୍କୁ ପିଠା ଅରପିଲେ
ହସି ଉଠେ ମାଆ ମାଟି ।
ଶ୍ରାବଣ ମାସରେ ଝୂଲଣ ଯାତରା
ପ୍ରଭୁଙ୍କର ବର୍ଷା ରାସ
ଶଖି ମେଳେ ଦିଅଁ ଦୋଳିରେ ଝୁଲନ୍ତି
ଫୁଲେ ଫୁଲେ ହୋଇ ବେଶ।
ବର୍ଷା ଋତୁ ଅନ୍ତ ଗହ୍ମା ପୂହ୍ନେଇ ରେ
ବଳଭଦ୍ର ଙ୍କର ଜନ୍ମ
ତୁଳସୀ କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଯାଏ ଲୋ
ଉଛୁଳେ ପ୍ରଭୁ ଙ୍କ ନାମ।
ଚାଷର ଠାକୁର ପ୍ରଭୁ ବଳଭଦ୍ର
ସେ ଲାଗି ତ ଚଷା ଘରେ
ହଳ ବଳଦଙ୍କ ପୂଜା ହୁଏ ପୁଣି
ପିଠା ପଣା ଘରେ ଘରେ
ଗହ୍ମା ପୂହ୍ନେଇ ରେ ଭାଇ ହାତରେ ତ
ଭଉଣୀ ବାନ୍ଧଇ ରାକ୍ଷୀ
ପିଠା ମିଠା କେତେ ଖୋଇଦେଇ ଥାଏ
ସିନେହ ମମତା ମାଖି ।
ଶ୍ରୀକ୍ଷେତ୍ର ଧାମରେ ଭଉଣୀ ସୁଭଦ୍ରା
ଜଗା ବଳିଆ ଙ୍କ ହାତେ
ରାକ୍ଷୀ ବାନ୍ଧିଥାନ୍ତି ଅତି ଆଦରରେ
ଦେଖିଣ ଧନ୍ୟ ଭକତେ।
ସଅର ମାନଙ୍କ ବଡ ପରବ ଏ
ପବିତ୍ର ଗହ୍ମା ପୁ୍ହ୍ନେଇ
ପିଠା ପଣା ଖାଇ ଘୁମୁରା ବଜାଇ
ବୁଲନ୍ତି ସେ ସାହି ସାହି।
ଗହ୍ମା ପୁ୍ହ୍ନେଇ ରେ ବରଷାର ଅନ୍ତ
ଶରତକୁ ହାତ ଠାରି
ବର୍ଷା କୁ ବିଦାୟ ଦେଇ ଏ ମଣିଷ
ମେଘ କୁ ହୁଅଇ ଝୁରି
ମେଘ ବର୍ଷେ ପୁଣି ଆଉ ଦୁଇମାସ
ଦଶରା ସରିବା ଯାଏ
ବରଷା ଋତୁ ଏ ସବୁରି ଭରଷା
ହସ ଖୁସି ବାଣ୍ଟି ଥାଏ।।