ଚଲାପଥ
ଚଲାପଥ
ଜୀବନରଥ ସବୁ ଦିନେ ବୋଧହୁଏ ସେମିତି
କେବେ ବିସ୍ମୟ ଅବଶୋଷ ତ କେବେ ପୁଲକ ଆଶ୍ବସ୍ତି,
ଅଣଚାଶ ନିଃଶ୍ବାସ ବାହାରି ଆସେ ଏଠି ସନ୍ତାପରେ
ଲକ୍ଷ୍ମଣରେଖା ଟପି,ଲୁହ ଓ ହସକୁ ଥଇଥାନ କରିବାରେ
ଏ ପଥରେ ସବୁ ସମୟରେ ନୀଳ ନିଆଁର ଅସମ୍ଭବ ତାତି
ଆକାଶର ଅର୍ଦ୍ଧଦଗ୍ଧ ଅନ୍ଧାରେ ସହଜେ ପାହେନା ରାତି,
ନା ମିଳେ ଜହ୍ନପଖଳା ଆଶ୍ବାସନା ନା ପ୍ରଭାତର ପ୍ରୀତି
ନୀରବ କୋଳାହଳ ଭିତରେ ହିଁ ଚାଲେ ଜୀବନର ଗତି ,
କେତେବେଳେ କେମିତି ହାତ ଧରି ଡାକିନିଏ ସମୟ,
ଜୀବନକୁ, ନଈକୂଳ ତଟାମୂଳ ଫୁଲ ଫଗୁଣର ପଥେ,
ଆଶା ଆବେଗରେ ବାହୁ ଆଲିଙ୍ଗନରେ ଝୁମିବାକୁ
ନିଜର ଅସୁମାରୀ ଇଛା ଆକାଂକ୍ଷାକୁ ନେଇ ସାଥେ ,
ତଥାପି ଲକ୍ଷ୍ୟ ଚିରକାଳ ଅପହଞ୍ଚ ଏ ଚଲାପଥର
ନା ଅଛି କୂଳ କିନାରା ନା ପରିମାପ ଦୈର୍ଘ୍ୟ ପ୍ରସ୍ଥର
ଛଳନାର ଚକ୍ରବ୍ୟୁହରେ ଆବଦ୍ଧ ଏଠି ପ୍ରତିଟି ଛକ
ମୁକ୍ତିର ପଥ ଖୋଜୁ ଖୋଜୁ ଯେଉଁଠି ଆସେ ବାର୍ଦ୍ଧକ୍ୟ ।