STORYMIRROR

Dr Baman Chandra Dixit

Fantasy Thriller

3  

Dr Baman Chandra Dixit

Fantasy Thriller

ବଞ୍ଚିବାକୁ ଟିକେ ଚାହୁଁଚି

ବଞ୍ଚିବାକୁ ଟିକେ ଚାହୁଁଚି

1 min
281

ଦଗ୍ଧ ବୈଶାଖର ବିଦଗ୍ଧ କଳି ମୁଁ

ଆତ୍ମକଥା ମୁଁ ଗୋ କହୁଛି,

ବାଷ୍ପରୁଦ୍ଧ ବଦ୍ଧ ଆକୁଳ କଣ୍ଠେ ମୋ

ଜୀବନ ସଙ୍ଗୀତ ଗାଉଛି

ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଁଛି।।

କରତାଳି ଶବ୍ଦ ବୁଣେ  ଅବସାଦ

ପ୍ରେମ ପାତ୍ରେ ଭରା ଯେତେ କ୍ଷେଦ ଭେଦ

କରି ଗଣ୍ଠି ଧନ ସାଜି ନୀଳକଣ୍ଠ

ହସି ହସି ମୁଁ ଗରଳ ପିଉଛି।

ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଁଛି।।

ଅତି ଆପଣାର ଯେତେ ମୁହୂର୍ତ୍ତକୁ

ବିପରୀତ ରଙ୍ଗେ ରଙ୍ଗା ଆଳାପକୁ

ଭଙ୍ଗା ବେହେଲାର ଛିଣ୍ଡା ତାର ଯୋଡ଼ି

ଶବ୍ଦ ତରଙ୍ଗ ନିଃଶବ୍ଦେ ଗାଉଛି।

ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଁଛି ।।

ମାନ ଅଭିମାନ କେତେ ଆନମନା

ଘର ଅଗଣା ବି ଅଚିହ୍ନା ଅଚିହ୍ନା

ଆତ୍ମୀୟ ଆଖିର ଅକୁହା ଆକ୍ଷେପ

ତୀର ଆରୋପ ଛାତିରେ ବହୁଛି।

ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଁଛି।।

ଝରା ରକତ ର ଉତ୍ପାତ ଅନେକ

ଜଳେ ଜ୍ଵାଳା ଯେତେ ଉତ୍ତପ୍ତ ସନ୍ତାପ

ଆତପ ଛତ୍ରିକା ତୋଳି ଶିର ପରେ

ସ୍ଵେଦ ବିନ୍ଦୁ ସ୍ଵାଦ ସୁଧା ପିଉଛି।

ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଛି।।

ଆଷାଢ଼ର ସ୍ବପ୍ନ ମେଘ ମରୀଚିକା

ରୁଷ୍ଟ ପ୍ରତୀକ୍ଷା ଅତିଷ୍ଠ କୁହେଳିକା

ଶୁଷ୍କ ପ୍ରଶାଖାର ରିକ୍ତ ପ୍ରଶିରାରୁ

ଟୋପେ ପିଇ ଟିକେ ଜୀଇ ରହିଛି।

ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy