ବଳ ଠାରୁ ବୁଦ୍ଧି ବଡ଼
ବଳ ଠାରୁ ବୁଦ୍ଧି ବଡ଼
ଅକଲ ମକଲ ଟକଲ ଟିଆଁ
କାଳି ବିରାଡ଼ି ମାଇଲା ଡିଆଁ
ଝାମ୍ପି ନେଇଗଲା ଗୋଟିଏ ମୂଷା
ଖାଇବା ପାଇଁକି ତାକୁ ସହସା
ମୂଷିକ କହିଲା ବିଲେଇ ନାନୀ
ଖାଅ ନାହିଁ ମୋତେ ଶୁଣ ମୋ ବାଣୀ
ଛୋଟ ଜୀବ ଟିଏ ଅଟେ ସଂସାରେ
ମୋତେ ଖାଇଲେ କି ତୋ ପେଟ ପୁରେ
ମୋର ବଂଶଧର କେତେ ଯେ ମୂଷା
କରନ୍ତି ମୋଠାରେ କେତେ ଭରସା
ଗାତ ଭିତରେ ସେ ଅଛନ୍ତି ରହି
ଅନାଇଁ ଥିବେ ସେ ଆହାର ପାଇଁ
ମୋତେ ମାରିଦେଲେ ସିଏ ମରିବେ
କେମିତି ବା ଆଉ ସିଏ ବଞ୍ଚିବେ
ଆସ ଯିବା ସେହି ଗାତ ପାଖକୁ
ଡାକି ଦେବି ସବୁ ଛୁଆ ମାନଙ୍କୁ |
ସମସ୍ତଙ୍କୁ ତୁମେ ଖାଇଣ ଦେବ
ତେବେ ସିନା ତୁମ ପେଟ ପୁରିବ |
ମୂଷିକ କଥାରେ କାଳି ବିଲେଇ
ଖୁସି ହୋଇଗଲା ଖାଇବା ପାଇଁ |
ଗାତ ନିକଟକୁ ଗଲା ଖୁସିରେ
ମୂଷା ପଶିଗଲା ଗାତ ଭିତରେ |
ବିରାଡ଼ି ଜଗିଛି ଗର୍ତ୍ତ ପାଖରେ
ମୂଷା ରହିଅଛି ତାହା ଭିତରେ |
ବୁଦ୍ଧି ବଳେ ମୂଷା ମୁକ୍ତି ପାଇଲା
ବଳ ଠାରୁ ବୁଦ୍ଧି ବଳେଇ ଗଲା ।।
