ମହାନ ଉତ୍କଳ ଭୂମି
ମହାନ ଉତ୍କଳ ଭୂମି
ଧନ୍ୟ ଏ ଉତ୍କଳ ଭୂମି ମହାନ ପବିତ୍ର ଭୂମି
ବିଶ୍ୱ ବ୍ରହ୍ମାଣ୍ଡ କରତା ଜଗତ ସାଇଁ
କରିଛନ୍ତି ବିଜେ ଯହିଁ ଜଗନ୍ନାଥ ନାମ ବହି
ସେହି ଓଡିଶା ଆମରି ଜନମ ଭୂଇଁ
ଶୋଭାମୟୀ ଉତ୍କଳ ଭୂଇଁ
ବର୍ଣ୍ଣିବାକୁ ତା ସୁଷମା ଉପମା ନାହିଁ ।
କଳିଙ୍ଗ ନାମରେ ଖ୍ୟାତ ବିଶ୍ୱରେ ସେ ପରିଚିତ
ଧର୍ମ କ୍ଷେତ୍ର ପୁଣ୍ୟ କ୍ଷେତ୍ର ଦିନେ ସେ ଥିଲା
ମଗଧ ସମ୍ରାଟ କ୍ରୁର ଚଣ୍ଡାଶୋକ ମହାବୀର
ଏ ମାଟି ସ୍ପର୍ଶରେ ଧର୍ମା ଶୋକ ହୋଇଲା
ମୁନି ଋଷି ସାଧୁଙ୍କ ପାଇଁ
କଳିଙ୍ଗ ଉତ୍କଳ ମାଟି ସ୍ୱର୍ଗ ବୋଲାଇ ।
କେତେ କେତେ ସୁର ବୀର ଜନମିଲେ ତୋ କୋଳର
ଜୟୀ ରାଜଗୁରୁ, ବୀର ସୁରେନ୍ଦ୍ର ସାଏ
ହରେକୃଷ୍ଣ,ବିଜୁବାବୁ ଗୋପବନ୍ଧୁ, ମଧୁବାବୁ
ବକ୍ସସି ଜଗବନ୍ଧୁ କେତେ ପାଇକ ପୁଏ
ରମାଦେବୀ, ସୁବାଷ ବୋଷ
ମହାନ ସଂଗ୍ରାମୀ ଗାଥା ଗାଉଛି ଦେଶ ।
ବାର ବର୍ଷର ବାଳୁତ ସହୀଦ ବାଜି ରାଉତ
ହସି ହସି ଗୁଳି ଆଗେ ପତାଇ ଛାତି
ଦେଶ ପାଇଁ ପ୍ରାଣ ଦେଲା ଅମର ଜ୍ୟୋତି ହୋଇଲା
ତାର ବଳିଦାନ ସଦା ଗାଇବ ଜାତି
ଧର୍ମପଦ ବାଳକ ଥିଲା
କୋଣାର୍କ ମନ୍ଦିର ମୁଣ୍ଡି ସିଏମାରିଲା ।
କବିବର ରାଧାନାଥ ଅତିବଡ଼ି ଜଗନ୍ନାଥ
ଫକୀର ମୋହନ, ଗଙ୍ଗାଧର ମେହେର
ଦୀନକୃଷ୍ଣ, ଜୟଦେବ କବି ସୂର୍ଯ୍ୟ ବଳଦେବ
ଯଦୁମଣି, ଉପଇନ୍ଦ୍ର , ବୀର କିଶୋର
କବି କୁଳ ମଉଡମଣୀ
ଓଡ଼ିଆ ଭାଷା ସାହିତ୍ୟ ତାଙ୍କ ସୃଜନୀ ।
ମହାନଦୀ, ବୈତରଣୀ ସୁବର୍ଣରେଖା, ବ୍ରାହ୍ମଣୀ
ଋଷିକୁଲ୍ୟା, ଇନ୍ଦ୍ରାବତୀ, ପ୍ରାଚୀ ଭାର୍ଗବୀ
ପବିତ୍ର ତଟିନୀ ଧାର ଶସ୍ୟ କ୍ଷେତ୍ର ଭରପୁର
ସବୁଜ ସୁଷମା ଭରା ଉତ୍କଳ ଶୋଭି
ବିଲ ବଣ ପାହାଡ଼ ଝର
ପ୍ରାକୃତିକ ସୌନ୍ଦର୍ଯ୍ୟ ର ସେ ଗନ୍ତାଘର ।
ମହାନ ଆମ ସଂସ୍କୃତି ପରମ୍ପରା ରୀତିନୀତି
ରଜ ପର୍ବ, ଦୋଳ ଯାତ, ମକର ମେଳା
ଦଶହରା, ଦୀପାବଳି ପାଳୁ ସର୍ବେ ହୋଇ ମେଳି
ଜାତି, ଧର୍ମ ନିର୍ବିଶେଷେ ପାଳନ୍ତି ମେଳା
ପୁଣ୍ୟ ଭୂମି ଓଡିଶା ଭୂଇଁ
ସର୍ବ ଧର୍ମ ସମନ୍ୱୟ ଏଠାରେ ରହି
ଶିକ୍ଷା ବିଜ୍ଞାନ କ୍ଷେତ୍ରରେ ଉତ୍କଳ ବହୁ ଆଗରେ
କୃଷି ବାଣିଜ୍ୟ କଳାରେ ଆମେ ନିପୁଣ
ଏ ଦେଶ ସାଧବପୁଅ ଜାଭା ସୁମାତ୍ରା ବୋର୍ଣ୍ଣିଓ
ଜଳ ପଥରେ ଯାଆନ୍ତି ଆଣିବେ ଧନ
ସେହି ସ୍ମୃତି ପାଳିବା ପାଇଁ
ଭସାଉ ବୋଇତ, ଡ଼ଙ୍ଗା ତାକୁ ବନ୍ଦାଇ ।
ଓଡ଼ିଆ ମାଆ ର ଟେକ ରଖିବା ହୋଇଣ ଏକ
ଭୁଲିଯିବା ଭେଦଭାବ ଆମ ଭିତରେ
ଗୋଟିଏ ମାଆ ର ଛୁଆ ଓଡିଶା ଆମରି ମାଆ
ତା ଯଶ ଗାଇବା ଆମେ ଆନନ୍ଦ ଭରେ
ତା ଆନନ୍ଦେ ହୋଇବା ସୁଖୀ
କାନ୍ଦିବା ଦୁଃଖରେ ତାର ହୋଇଣ ଦୁଃଖୀ ।