STORYMIRROR

Madhabi Patel

Children

4  

Madhabi Patel

Children

ପାର୍ବଣ

ପାର୍ବଣ

1 min
250

ପାର୍ବଣ ଋତୁ ଆଗତ

ଧରାରେ ଉଭା ଶରତ।

ଦେବୀଙ୍କର ଆଗମନୀ

ଗାଉଛି ବାତ।୧


ଶିକର ଶିକ୍ତ ଅନୀଳ

ଶୁଭ୍ର ଶୁଭ୍ର ମେଘମାଳ।

ଅଭ୍ରସମ ଶୋଭାମୟ

ଅମ୍ବର କୋଳ।୨


କାଶତଣ୍ଡି କେଦାରରେ

ବେଣା ପାଟ ନଈ ତୀରେ।

ଧବଳ ଚାମର ଧରି

ସେ ନୃତ୍ୟରତ।୩


ବକ ଯୁଥ ମାଳମାଳ

ଭ୍ରମନ୍ତି କେଦାର ତଳ ।

ମୀନ ଶାମୁକା ଖୋଜନ୍ତି

ନିଜ ଆହାର। ୪


ଆବିଳ ନଈର ଜଳ

ହେଲାଣି ସ୍ବଚ୍ଛ ନିର୍ମଳ।

ଆକାଶ ମୁଖ ଦେଖଇ

ଭାବି ମୁକୁର।୫


ରାତ୍ରୀ ହୁଏ ଜ୍ୟୋସ୍ନା ଧୌତ

ନାହିଁ ଆଉ ବାରିପାତ।

ସବୁଜଶ୍ରୀ ପାଟ ପିନ୍ଧି

 ଧରା ଶୋଭିତ।୬


କଳକଳ ବହେ ନଈ

ପୂର୍ଣଗର୍ଭା ଜଳନେଇ ।

ସାଗର ସଂଗମ ପାଇଁ

ଧାଏଁ ତୁରିତ।୭


ଅଳ୍ପ ଅଳ୍ପ ଶୀତ ଖରା

ନିର୍ମଳ ଦିଶଇ ଧରା ।

କେଦାରେ ଶସ୍ୟ ସମ୍ଭାର

ଦିଶଇ ତୋରା ।୮


ଦେବୀ ଙ୍କର ଆଗମନ

ସୁଚାଇ ଦିଏ ପବନ ।

ବନେ ଉପବନେ

ସୁଗନ୍ଧିତ ସୁମନ।୯


ହରସିତ ପ୍ରାଣୀମନ

ବୃକ୍ଷଲତା ସବୁ ଜାଣ ।

ଦେବୀଙ୍କର ଆଗମନ

ହେବ ଦର୍ଶନ।୧୦


କୁମୁଦିନୀ ରଜନୀରେ

ଚାହିଁଥାଏ ନିଶାକରେ ।

ଦିବସେ ପଦ୍ମିନୀ ଖୋଜେ

ତା ପ୍ରଭାକର ।୧୧


ହଳଦୀ ସୋରିଷ ଫୁଲ

ସଜାଏ ସ୍ୱର୍ଣ୍ଣ ଚାଦର ।

ପାହାନ୍ତିରେ ତୃଣପରେ

ମୁକ୍ତା କାକର।୧୨


ଜହ୍ନି ଫୁଲ ସାୟଂକାଳେ

 ପ୍ରଷ୍ଫୁଟିତ ଚାଳପରେ।

ଦିଶଇ ତାରକା ସମ

କେତେ ସୁନ୍ଦର।୧୩


ଶୀତଳ ସତେଜ ବାଆ

ବହିଆସେ ତୁହା ତୁହା ।

ଶିହରଣ ତୋଳୁଥାଏ

ରୋମ ଟାଙ୍କୁର।୧୪


କମ୍ବଳ ରେଜେଇ କୋଳ

ମନ ଖୋଜେ ବାରମ୍ବାର ।

ସାଲ ମଫଲର ସଙ୍ଗେ

ଲୋଡା ସ୍ୱେଟର।୧୫


ଦୁର୍ଗତି ନାଶିନୀ ଦୁର୍ଗା

ଗ୍ରାମେ ଗ୍ରାମେ ହେବେ ପୂଜା ।

ସୁରମ୍ୟ ମଣ୍ଡପ ମାନ 

ହେଲାଣି ସଜା।୧୬


ସିଂହ ବାହିନୀ ମଙ୍ଗଳା

ଓଷାକରି ଗ୍ରାମ୍ୟବାଳା ।

ଭାଇର ସୁରକ୍ଷା ପାଇଁ

କରିବେ ପୂଜା।୧୭


ଧୂପ ଦୀପ ଅଗୁରରେ

ଝୁଣା କର୍ପୁର ବାସ୍ନାରେ ।

ସଂଚରିତ ପ୍ରତି ହୃଦେ

ଭକ୍ତିର ସ୍ରୋତ।୧୮


ପାର୍ବଣ ପାର୍ବଣ ଲାଗେ

ଢୋଲ ନିଶାଣ ଶବଦେ

ନିନାଦିତ ହୋଇଉଠେ

ସାରା ଜଗତ।୧୯



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children