ଶଗଡ ଗାଡି
ଶଗଡ ଗାଡି
ମନେପଡିଯାଏ ଶଗଡଗାଡିରେ,
ଯାଉଥିଲୁ ମାମୁଁଘର !
ବଳଦମାନେ ଭି ଜାଣିପାରୁଥିଲେ,
ଥାଉପଛେ ଯେତେଦୂର !!
ମାମୁଁଘର ଯିବା ଶଗଡଗାଡିରେ,
ହୋଇଲା ଏବେ ସପନ !
ଆଜିକାଲି ପିଲେ ଜାଣିପାରିବେନି,
ଶଗଡ ଗାଡିଟି କ'ଣ ?
ଶଗଡଗାଡିରେ ପୁରି ଉଠୁଥିଲା,
ଗାଆଁଗଣ୍ଡା ଘରଦ୍ବାର !
ନବବିବାହିତା ଲୁହ ପୋଛି ପୋଛି,
ଯାଉଥିଲା ଶାଶୁଘର !!
ଧାଡିଧାଡି ହୋଇ ଶଗଡଗାଡିରେ,
ଯାଉଥିଲେ ଛାଡି ଝିଅ !
ବିବାହିତା ଝିଅ ଛାଡିଯିବା ଦୃଶ୍ୟ,
ମନରୁ ଉଠଇ କୋହ !!
ଶାଶୁଘରୁ ଝିଅ ଲେଉଟାଣି ବେଳେ,
ଗାଆଁ ଦାଣ୍ଡ କମ୍ପୁଥିଲା !
ଶାଶୁଘର ପୁଣି ଫେରିଯିବା ଦୃଶ୍ୟ,
ଗାଆଁସାରା କାନ୍ଦୁଥିଲା !!
ବଳଦମାନଙ୍କୁ ସଜାଇ ସଉକେ,
ନେଉଥିଲେ ବନ୍ଧୁଘର !
ଶଗଡ ବଳଦ ପୂଜା କରୁଥିଲେ,
ଆରପକ୍ଷ ବନ୍ଧୁଘର !!
ଧନୀଗରିବଙ୍କ ଯାତାୟତ ପାଇଁ ,
ଶଗଡ ଥିଲା ମାଧ୍ୟମ !
ସହରକୁ ଆସି ଶଗଡଗାଡିରେ,
କରୁଥିଲେ କେତେ କାମ !!
ଶଗଡଗାଡିର "କେଁ,"କଟର .
ମନରେ ଗୁଞରୀ ଯାଏ !
ଶୁଭୁନାହିଁ ଆଉ ସେ ପ୍ରିୟ ଶବଦ,
ଦୁନିଆଁ ବଦଳିଯାଏ !!
ଶଗଡଗାଡିର ଅନୁଭୂତି ସବୁ,
ସ୍ମୃତି ହୋଇ ରହିଯିବ !
ସତେ କ'ଣ ଆଉ ଶଗଡଗାଡି ତା,
ମର୍ଯ୍ୟାଦା ଫେରିପାଇବ ? !!
