କବିତା (ବନ୍ଧୁତାର ମୂଲ୍ୟ )
କବିତା (ବନ୍ଧୁତାର ମୂଲ୍ୟ )
ଦେଖିଲି ବସିଛି ବାଟରେ,
ସମ୍ପର୍କର ବଜାର !
ବିକ୍ରି ହେଉଥାଏ ସମ୍ପର୍କ,
ଚାଲେ ଖୋଲା ବେପାର ।
କେଉଁ ସମ୍ପର୍କର ମୂଲ ,
କେତେ ମୁଁ ବୁଝିଲି ଯାଇ !
ପଚାରିଲେ ଦୋକାନୀ କୋଉଟା,
ବାପା ମା କି ଭାଇ ?
ନେବ ତୁମେ କେଉଁ ସମ୍ପର୍କ,
କୁହ ଦେବି ମୁଁ ଆଣି !
ମାନବିକତା, ପ୍ରେମ ଅବା,
ନେବ ଭାଇ ଭଉଣୀ ।
କିଛି ବି ନ କହି ଭାବିଲି,
ମନେ ଅନେକ କଥା !
ଦୋକାନୀ କହୁଛି ସମ୍ପର୍କ,
କୁହ ନେବ କୋଉଟା ।
ଡରି ଡରି କରି କହିଲି,
ନେବି ବନ୍ଧୁତା ମୁହିଁ !
ଆଖି ଛଳ ଛଳ ଦୋକାନୀ,
କହେ ବନ୍ଧୁତା ନାହିଁ ।
ବନ୍ଧୁତାର ନାହିଁ ବେପାର,
ସେତ ଅମୂଲ ମୂଲ !
ମଳିନ ହୁଏନି ସମ୍ପର୍କ,
ଏହା ଅଟେ ନିର୍ମଳ ।
ଯେଉଁ ଦିନ ବନ୍ଧୁ ହୋଇବ,
ବିକ୍ରି ଏଇ ସଂସାରେ !
ଉଜୁଡିଯିବ ଏ ଦୁନିଆଁ,
ଜାଣ ସେହି ଦିନରେ ।
ବନ୍ଧୁତା କରିଣ ବନ୍ଧୁକୁ,
ଯିଏ କପଟ କରେ !
ଦୂରେଇ ରହିବ ତାହାଠୁ,
ଥାଉ ଯେତେ ପାଖରେ ।।
