କାଳିଆ ଚୁଲିରେ ପଶିଲା ପାଣି
କାଳିଆ ଚୁଲିରେ ପଶିଲା ପାଣି
କାଳିଆ ଠାକୁର ହୁନ୍ଦର ନାଗର
କାଳେ ନଗଲା ତୋ ରୀତି ।
ଯୁଗେ ଯୁଗେ ତୁହି ନାରୀ ଚିତ୍ତ ଚୋର
ନାରୀ ମରା ତୋର ନିତି ।।
ସତ୍ୟ ଯୁଗେ ତୁହି ବାମନ ହୋଇଲୁ
କାଟିଲୁ ବୈଷ୍ଣବ ଚିତା ।
ବୈକୁଣ୍ଠେ ରହିଲେ ଝୁରି ଝୁରି ତୋତେ
କମଳା,ସିନ୍ଧୁ ଦୁହିତା ।।
ତ୍ରେତୟା ଯୁଗରେ କେତେ କଷ୍ଟ ଦେଲୁ
କାନ୍ଦିଲେ ଜାନକୀ ମାତା ।
ପତିବ୍ରତା ଧର୍ମେ ବସୁଧା ଫାଟିଲା
ମାଆ ଥିଲେ ସମର୍ପିତା ।।
ଦ୍ୱାପର ଯୁଗରେ ରାସ କେଳି କଲୁ
ମୋହିଲୁ ବରଜ ନାରୀ ।
ଗୋପୀନାଥ କୁଟେ ଗୋକୁଳ ଛାଡିଲୁ
ଗୋପୀଙ୍କୁ ଅନାଥ କରି ।।
ଶ୍ରୀକ୍ଷେତ୍ରରେ ଏବେ ଲୀଳା କରୁଅଛୁ
ଭକତ ବତ୍ସଳ ହରି ।
ମହାଲକ୍ଷ୍ମୀ ଶିରି ମନ୍ଦିର ମାଲିକ
ତୋହର ନିଜର ନାରୀ ।।
ରଥ ଯାତରାରେ ଭକତେ ମିଳିଲୁ
ସଙ୍ଗେ ନେଲୁ ଭଗ୍ନୀ ଭାଈ ।
ନିଜର ନାରୀକୁ ସଙ୍ଗରେ ନେବାକୁ
ତୋ ମନ ବଳିଲା ନାହିଁ ।।
ଚାହାଣି ମଣ୍ଡପେ ଚାହିଁ ଚାହିଁ ମାଆ
ଏକଥା ହୁଅନ୍ତି ଭାଳି ।
ରୋଷ ଭର ହୋଇ ଶିରୀମନ୍ଦିରରେ
କବାଟ ଦେଲେଣି କିଳି ।।
ବଳିଆ ଭାଈକୁ ଧରି ତୁ ଫରିବୁ
ସାଥେ ସୁଭଦ୍ରା ଭଉଣୀ ।
ସିଂହଦ୍ୱାରେ ତୋର କୋଳପ ଲାଗିଛି
ଚୁଲିରେ ପଶିଛି ପାଣି ।।
ଭକ୍ତ ବତ୍ସଳିଆ ଗୁଣ୍ଡିଚା ବାଡ଼ିରେ
ଖାଉଛୁ ଅବଢ଼ା ଡାଲି ।
ଭକତିଆ ପ୍ରେମ ରଙ୍ଗ ଛାଡ଼ିଯିବ
ଭକତେ ମାରିବେ ତାଳି ।।
