ବିଶ୍ୱାମିତ୍ର
ବିଶ୍ୱାମିତ୍ର
ଚିନ୍ତା ବୁଢିଆଣୀ ମନ ଆକାଶରେ
ଛନ୍ଦିଛି ମାଙ୍କଡ଼ା ଜାଲ,
ଗରିବ ଦେଖିବ ସ୍ୱପ୍ନ କେମିତି
ହୁଏ ସିଏ କଲବଲ ।
ଜୀବନଟା ତାର ଅଛିଣ୍ଡା ଗଣିତ
କିଏ ତା ଦେବୀ ଦେବତା
ଢାଳି ଲୁହଲହୁ ଗଢେ ତା ମନ୍ଦିର
(ସିଏ) ଦିଅନ୍ତି କେବଳ ଚିନ୍ତା ।
ପେଟ ଓ ପିଠିରେ ଓଦା ଚିରା କନା
ଗୁହାରି କାକୁତି ସ୍ୱର
ଶୁଣନ୍ତିନି କେହି ପଣ୍ଡା ପଡିହାରୀ
କରନ୍ତି ଷାଠିଏ ଭୋଗ ।
ନ କରେ ତା ପାଇଁ ଆଇନକାନୁନ
କହେ ସଭିଏଁ ସମାନ
ତୋଳି ଦେବି ତାରା ଆକାଶରୁ କହେ
ଗରିବ ହୁଏ ଶୋଷଣ ।
ଚଳ ଓ ଅଚଳ ବଢଇ ସମ୍ପଦ
ଜମା ପୁଞ୍ଜି ବୃଦ୍ଧି ପାଏ
ଗରିବଙ୍କ ଘର ସେମିତି ଅନ୍ଧାର
ତା ଦୁଃଖ ବୁଝୁଛି କିଏ ?
ଗରିବ ଆଖିରୁ ନିରବେ ଝରଇ
ଅସରା ଅସରା ଲୁହ
ଗରିବ ପେଟରେ ଭୋକର ଅନଳ
ଜଳୁଥାଏ ଡହଡହ ।
ତାହାରି ନାମରେ ଶ୍ରମର ଝାଳରେ
ଚାଲଇ କେତେ ବେପାର
ତା ଦୁଇ ହାତ ସାହା ତା ଦେବତା
ଶ୍ରମ ଶକ୍ତି ଧର୍ମ ତାର ।
ସିଏ ବିଶ୍ୱାମିତ୍ର ନିରଳସ କର୍ମୀ
ଥକି ନାହିଁ ଥକିବନି
ପାରିବ ନିଜେ ସେ ବ୍ରହ୍ମାଣ୍ଡ ଭିଆଇ
ହାରି ନାହିଁ ହାରିବନି ।