ବିଦଗ୍ଧ କବିତା
ବିଦଗ୍ଧ କବିତା
ଭଲପାଇବା ମୋ ଆଷାଢ଼ ଆକାଶେ
ମଲାଜହ୍ନ ସାଜି ଡୁବି ଯାଉଛି
ଜୀବନକୁ ଭଲପାଏ ବୋଲି ଆଜି
ଯନ୍ତ୍ରଣାରେ ଲୁହ ଲହୁ ପିଉଛି ।
ସେଇ ମଲାଜହ୍ନ ପୁଣି ମୋ ଅଞ୍ଚଳେ
ଚଞ୍ଚଳେ ଆବେଗ ଲୁହ ଖୋଜୁଛି
ଆଷାଢ଼ୀ ପଣତେ ବିନ୍ଦୁ ବିନ୍ଦୁ ହୋଇ
କାକର ଟୋପା କୁ କିଏ ବୁଝିଛି ।
ଆବେଗରୁ ଅନୁରାଗ ପୁଣି ଅସ୍ତରାଗ
ଜହ୍ନ ଟା ମଳିନ ଭାରି ଦିଶୁଛି
ତାରା ଫୁଲ ସାଥେ ନୀଳନୟନା ସେ
ନୀଳକଇଁ ନୀଳବିଷ ପି ମରୁଛି ।
ଅଭିସାରିକାର ଅବଗୁଣ୍ଠନରେ ସବୁ
ଅଭିଶାପ ଅକାରଣ ଲାଗୁଛି
ଆୟୁତ ଯୁଗର ନିୟୁତ ନିଥର
ପଦ୍ମବଣେ କଳା ନାଗ ଖେଳୁଛି ।
ତମରି ଅସ୍ତିତ୍ବ ପୁନଶ୍ଚ ପୁନଶ୍ଚ
ଭାଇରାଲ ହୋଇ କାଇଁ ଗ୍ରାସୁଛି
ଅଜଣା ପଥର ପଥିକ ସାଜିବି
କୁଆଁ ତାରା ସାଥେ ଭାବ ଲାଗିଛି ।
ସାତ ଋତୁ ପରେ ଆଉ କିଏ ଥରେ
ବସନ୍ତ ପତ୍ରରେ ମହୁ ମାଖିଛି
ଅସ୍ତବେସ୍ତ ପୁଣି ପରସ୍ତ ପରସ୍ତ
ମୋ ଦୁଇ ଆଖି ନିଜ ଲୁହ ନିଜେ
ପିଇ ସାରିଛି ।
