ବିଦାୟ
ବିଦାୟ
ମୁଁ ଚାଲିଗଲା ପରେ
ତୁ ଲେଉଟାଣି ନଉଥିବୁ ମୋ ଜୀବନେ
କାହା ଆଗେ କହିବୁ ତୋ ମନ କଥା
ମନର ମଣିଷ ତୋର ବିଦାୟ ନେଲାବେଳେ
ଶବ୍ଦ ସବୁ ତୋ ମୂକ ପାଲଟୁଥିବ
ନୀରବତା ତତେ ଉପହାସ କରୁଥିବ
ଯୋଉ ସଫଳତା ପାଇବା ପାଇଁ
ଅଧାବାଟେ ମତେ ଛାଡିଥିଲୁ
ସେଥିପାଇଁ ତୁ ଅନୁତାପ କରୁଥିବୁ
ଆଉ କିଛି ଦିନ ତୋ ଜୀବନେ ରହିବାକୁ
ମତେ ମନଉଥିବୁ,
କେତେ ହସଉ ଥିବୁ, ଚିଡଉ ଥିବୁ
ସେସବୁ ମୋ ପାଇଁ ସ୍ଥାଣୁ ପାଲଟୁଥିବ,
କେହି ମୋ ପାଖେ ନଥିଲା ବେଳେ
ତୁ ମୋଠୁ ବିଦାୟ ନେଇଥିଲୁ
ହେଲେ ତତେ ସବୁ ମିଳିଲା ପରେ
ମୁଁ ତୋଠୁ ବିଦାୟ ନଉଥିବି
ଆଖିରେ ମୋ ଲୁହ ନଥିବ
ତୋଠାରୁ ସବୁ ଆଶା ମରିଥିବ
ତୁ ଆହୁରି ସଫଳ ହଅ ମଙ୍ଗଳ କାମନା କରି
ତୋଠାରୁ ମୁଁ ମେଲାଣି ନେବି ,
ଆଉ କେବେ ତୋ ସହ ଦେଖା ନହୁଏ ବୋଲି
ଗାଁ ଠାକୁରାଣୀ କୁ ଫୁଲ ଚଢେଇବି
ଅଭିମାନ ସବୁ ମୋର ସ୍ଵାଭିମାନ ପାଲଟୁଥିବ
ମୁକରୁ ଧୀରେ ଧୀରେ ମୁଁ କଥା କୁହା ହେବି
ହସ ନଥିବା ଓଠେ
କାଣିଚାଏ ହସ ରଖିଥିବି
ତୁ ଫେରିଲା ପରେ ଏ ଜୀବନେ
ତୋ ଜୀବନୁ ମୁଁ ଅସ୍ତ ହଉଥିବି
ଆଉ ଗୋଟେ ନୁଆ ସକାଳର ଆଶାରେ ।