ବିଚ୍ଛେଦର ଋତୁ
ବିଚ୍ଛେଦର ଋତୁ
ଜାଣେନା କେଉଁ ଦୁର୍ବଳ ମୂହୁର୍ତ୍ତରେ
ତୁମେ ଆସିଥିଲ ମୋ ଜୀବନରେ,
ବସନ୍ତର ପ୍ରୀତିରାଗ ନେଇ
ବୁଣିଥିଲ ଏକ ,
ଭଲ ପାଇବାର ମାୟାଜାଲ।
ବହି ଆସିଥିଲା ଅନେକ ପ୍ରତିଶ୍ରୁତିର
ଧାରା ଶ୍ରାବଣ
ପ୍ରେମର ପ୍ଲାବନରେ
ଉଜାଣି ବହୁଥିଲା ଜୀବନ-ଯମୁନା ।
ମୋହଗ୍ରସ୍ତା ପତଙ୍ଗ ପରି
ମୁଁ ମାଡ଼ି ଚାଲିଲି
ତୁମ ଅହଂକାର ରୂପୀ ଅନଳ ଆଡ଼କୁ
ତୁମେ ତ ବେଶ୍ ଭଲ ଭାବରେ
କରିପାରିଥିଲ
ବୈଶାଖରେ ବସନ୍ତର ଅଭିନୟ ।
ଟିକେ କ'ଣ କାଳବୈଶାଖି ଆସିଲା ଯେ
ଝଡ଼ ପବନ ଉଡାଇ ନେଇଗଲା
ତୁମ ପ୍ରେମିକର ମୁଖା
ଅସରାଏ ବର୍ଷାରେ ଧୋଇହୋଇଗଲା
ସବୁ ପ୍ରତିଶ୍ରୁତିର ବନ୍ଧ
ବନ୍ୟା ଜଳ ଭସାଇ ନେଇଗଲା
ମୋ ସ୍ଵପ୍ନର ବାଲିଘରଟିକୁ ।
ଝଡ଼-ଝଞ୍ଜା ଥମିବା ପରେ
ଶେଷ ଥର ପାଇଁ କରିଥିଲି
ମୋ ପ୍ରେମମୟ ସଂସାରଟିକୁ ବଞ୍ଚାଇବାର
ବୃଥା ପ୍ରୟାସ ।
ତା' ପରେ ଆଉ କ'ଣ
ଏବେ ତ ସବୁକିଛି
ଶୁଭ୍ର ଶରଦାକାଶ ପରି ନିର୍ମଳ
ଯେବେ ମିଳନ ହିଁ ଥିଲା
ଏକ ଚପଳତା ଭରା ଭ୍ରମ
ତେବେ ବିଚ୍ଛେଦର ଦୁଃଖ କାହା ପାଇଁ ।
ବର୍ଷାସ୍ନାତା ଧରିତ୍ରୀ ପରି
ଏବେ ସବୁ ସ୍ଵଚ୍ଛ, ପରିଷ୍କାର
ନବ ପଲ୍ଲବିତ ପଲ୍ଲବମାନଙ୍କ ପରି
ଆମେ ଦୁହେଁ ବେଶ୍ ଖୁସି
ନିଜ ନିଜ ଜୀବନରେ ।
ଏବେ ତୁମେ ହସୁଛ
ଅନ୍ୟ କାହା ସିନ୍ଥିର ସିନ୍ଦୂରରେ
ଆଉ ମୁଁ ତୃପ୍ତ
ଆତ୍ମାଭିମାନରେ ଭରା
ବିଚ୍ଛେଦର ଋତୁରେ ।