ବିବ୍ରତ ବିଶୁଦ୍ଧତା
ବିବ୍ରତ ବିଶୁଦ୍ଧତା
ସୀମିତ ମୋ ଇଲାକାର ବର୍ଣ୍ଣଲିପି
ଶେଷରୁ ପଢିବି ଭାବି
ବଂଧାପଡି ହଜିଲି ତୋ ସଂପର୍କ ଜାବୋଡ଼ି,
ସେ ସଂଯୋଗ ଇତିବୃତ୍ତ ଲେଖିବା ପୂର୍ବରୁ
ଯୂଥଭ୍ରଷ୍ଟ ଅଭିଳାଷ ଗଲା ବୋଧେ ଡରି ।
ଲଗାମଛଡା ପ୍ରତୀକ୍ଷା ର ଦୌଡ
ଅପଲକ ନେତ୍ରେ ତୋ ଦେହକୁ ଛୁଇଁ
ଉନ୍ମନା ଆବେଗ, ସାଇତା ମୋ ଅନୁରାଗ
ଅଧୀର ବି କରେ ମତେ ତୋ ପାଇଁ ଧାଇଁ ।
ଶାମୁକା ଖୁଣ୍ଟିବା ମନା ମତେ
ସାଗର ବେଳାରେ, କାଳେ ରତ୍ନ ପାଇଯିବି
ଅଗଭୀର କୂଳେ ତା' ର, ଲହରୀ ଭାଂଗିବା
ମନା,ସ୍ପର୍ଶ କରି କାଳେ ତା' ଦେହେ
ନିଜେ ହଜିଯିବି ।
ହଜିବାରେ ଦୁଃଖ ନାହିଁ
ଯନ୍ତ୍ରଣା ଭାରି ହଜାଇ ଦେବାରେ
ପ୍ରାପ୍ତି ରେ ବି ନୁହେଁ ସୁଖୀ
ସୁଖୀ ହେବି ଯଦି ତୋ ମନ ଆଇନାରେ
ରଖି ପାରନ୍ତୁ ମତେ ପରଖି ।
ହେଲେ ତୋର ସିନା ସେ ଆଖି ଥିଲେ
ମତେ ପରଖଂତୁ
ହୃଦୟ ଥିଲେ, ମନ ତୁ ବୁଝଂତୁ
ଭିନ୍ନ ଦିଗଂତ ର ପ୍ରତ୍ଯାବୃର୍ତ୍ତ
ନକ୍ଷତ୍ରର ପ୍ରତିଶ୍ରୁତି ତୁ
ମୋ ବିବ୍ରତ ବିଶୁଦ୍ଧତା କେମିତି
ବା ପ୍ରତ୍ୟୁତ୍ତର ବାଢି ରଖି ପାରଂତା
" ନିଜର ବୋଲି ମୁଁ "।