ବିଭତ୍ସ ଶୀତ ରାତି
ବିଭତ୍ସ ଶୀତ ରାତି
ବିଶାଳ ଭୂଖଣ୍ଡେ ଆବର୍ଜନା କୁଣ୍ଡେ କି କରୁଣ ବିଭୀଷିକା !
ବୁଭୁକ୍ଷିତ ଭୋକ ମୋଡ଼ି ଦିଏ ବେକ ଭାଗ୍ୟ ରଚେ ପ୍ରହେଳିକା ।
ବୁକୁ ଫଟା ଜାଡ଼େ, ଅନ୍ଧାର ଉହାଡ଼େ କରେ ଉଷ୍ମତା ସନ୍ଧାନ
ବିବଶ ଶରୀରେ, ଦୁର୍ଭାଗ୍ୟ ପ୍ରହାରେ ,ବୃକ୍ଷ ମୂଳେ ଅବସ୍ଥାନ ।
ବିଧାତା ବଇରୀ ଶୀତକୁ ପ୍ରହାରି ନିଏ ଯେବେ ପ୍ରତିଶୋଧ
ବକ୍ଷ ବିଦାରକ ବୀଭତ୍ସ ଭବିଷ୍ୟ କରିବ କେ ପ୍ରତିରୋଧ ।
ବିବେକ ଦହନ, ଉଦର ଜ୍ୱାଳାରେ ବୁଝେ ନାହିଁ ଭଲ-ମନ୍ଦ
ବାରମ୍ବାର ଖୋଜେ ମୁଠିଏ ଉଚିଷ୍ଟ ନ ବାରି ସିଏ ଦୁର୍ଗନ୍ଧ ।
ବେଳ ଥାଉଁ ଥାଉଁ ନ ବାଣ୍ଟି କମ୍ବଳ ଆସିଥିଲେ ନିଶାର୍ଦ୍ଧରେ
ବାହାନା ବଣ୍ଟନ କମ୍ବଳ ଚାଦରେ ଲକ୍ଷ୍ୟ ଥିଲା ଶରୀରରେ ।
ବାସନାର ଭୋକ ଆଗରେ ଟେକିଲା ହାତ ଉଦରର ଭୋକ
ବିକଟାଳ ରଡ଼ି ଚାପି ଦେଲା ଧ୍ୱନି ଲିଭିଗଲା ସେ ଆଲୋକ ।
ବାଃ.. ବାଃ.. ଶୀତ କେଡ଼େ ତୁ ଦୁରିତ ସାଜିଲୁରେ ମୂକସାକ୍ଷୀ
ତୋ ଆଖି ଆଗରେ କେତେ ଯେ ଜୀବନ ନ ବୁଜିଥିବେରେ ଆଖି..!!
