ଭୂତକୋଠି
ଭୂତକୋଠି
ସନ୍ଧ୍ୟା ହୋଇଗଲେ ବୁଢ଼ୀ ମାଆ ପାଶେ
ଲାଗୁଥିଲା ଆଗେ ଭିଡ଼
ପାକୁଆ ପାଟି ରେ ଚୋବାଇକି ପାନ
କହୁଥିଲା ନାନା ଗପ ।
ଅସରନ୍ତି ତାର କାହାଣୀ ମୁଣିରେ
କଥା ଅଜବ ଗଜବ
ପିଲାମାନେ ଶୁଣି ହେଉଥିଲେ ଖୁସି
କେବେ ପୁଣି ହତବମ୍ବ ।
ଦଶ ଏଗାର ଚବିଶି ଚରିତେ
ଅସୁର ଓ ଅସୁରୁଣୀ
ଥାଆନ୍ତି ବିଭିନ୍ନ ଭୂତ ପ୍ରେତ ଗଣ
ଡାହାଣୀ ଓ ଚିରଗୁଣୀ ।
ରାଜା ମନ୍ତ୍ରୀ ପୁଅ କୁମାର କୁମାରୀ
ସହି ବଡ଼ ଦୁଃଖ କଷ୍ଟ
ଅସାଧ୍ୟ କାର୍ଯ୍ୟକୁ ବୁଦ୍ଧିମତ୍ତା ସହ
କରୁଥିଲେ ସମାଧାନ ।
ଚାଲି ଚାଲି ପାଦେ ନିକାଞ୍ଚନ ବନେ
ନିଡର ରାଜକୁମର
ଦୁଃସାହସୀ ବୀରପୁରୁଷଙ୍କୁ ହୁଏ
ଭାଗ୍ୟ ଦେବୀ ଅନୁକୁଳ ।
ମିଳୁଥିଲା ବର ମନ୍ତ୍ର ଓ ବିଭୂତି
ତୁରଗ ମନପବନ
ଅସୀମ ବୀରତ୍ୱ ନିଷ୍ଠା ପରାକାଷ୍ଠା
କରୁଥିଲେ ପ୍ରଦର୍ଶନ ।
ବଦଳି ଗଲାଣି କୁହା ଶୁଣା କଥା
ଏବେ ଆଧୁନିକ ଯୁଗ
ନାହିଁ ବୁଢ଼ୀ ମାଆ ଶୁଣାଇବ ଖୋଲି
ଭାନୁମତି ପେଡ଼ି ଗପ ।
ଦୂରଦର୍ଶନର ଧାରାବାହିକରେ
ଗପ ହୁଏ ଦେଖା ଶୁଣା
ମାତ୍ର ଆଧୁନିକ ପ୍ରଯୁକ୍ତି ପ୍ରୟୋଗ
ପୂରୁବ ମଜା ଦିଏନା ।
ନିର୍ମିତ ହୋଇଛି ଯାଦୁକୋଠି ଘର
ଅନ୍ଧାରିଆ ଭୂତକୋଠି
କୃତ୍ରିମ ଭୂତର ଆଖି ଦପ ଦପ
ଚାହୁଁଛି ଆଖି ତରାଟି।
ପ୍ରଚ୍ଛଦପଟର ବିକଟାଳ ଧ୍ୱନି
କରିଦିଏ ଭୟଭୀତ
କିଛିକ୍ଷଣ ପାଇଁ ଦେଖିଲେ ପିଲାଏ
ହୋଇଥାନ୍ତି ଆଚମ୍ବିତ ।
ଭୂତ ପ୍ରେତଙ୍କର କଥା ଓ କାହାଣୀ
ପ୍ରଦର୍ଶନ ଅଦଭୂତ
ଦୃଢ଼ କରିଥାଏ ଶରୀର ମନକୁ
ମତି କୋମଳକୁ ଶକ୍ତ ।
ଅଜ୍ଞାତ ଆଶ୍ଚର୍ଯ୍ୟ ଭୟ ବିପଦର
ହେବା ପାଇଁ ସମ୍ମୁଖୀନ
ଯୋଗାଏ ଅଦ୍ଭୁତ ଶକ୍ତି କୁଶଳତା
ଚମତ୍କାର ସମ୍ମୋହନ ।
----
