ବହୁତ ରହିଛି ବାକି
ବହୁତ ରହିଛି ବାକି
ସୁନୀଳ ଆକାଶ ଆକାଶେ ବଉଦ
ବିଜୁଳି, ସୂରୁଯ, ଜହ୍ନ
ଦେଖି ଅଗଣିତ ଚିକିମିକି ତାରା
ହଜାଇ ଦେଇଛି ମନ ।।
ବନେ ଗଛଲତା ଖରା,ଛାଇ ଖେଳ
ନାନା ଜାତି ଫୁଲ,ଫଳ
ଦେଖିଛି ବୁଲି ମୁଁ ଚପଳ ଝରଣା
ପଶୁପକ୍ଷୀଙ୍କର ଦଳ ।।
ଦେଖିଛି ମୁଁ ନଈ ନଈରେ ଭଉଁରୀ
ହୁଲି ଡଙ୍ଗା, ଛୋଟ ନାଆ
ବସି ତା'ର କୂଳେ ଜାଣିଛି ଆହା କି
ମଧୁର ତା' କୂଳ ବାଆ ।।
ଗହଳ ଶାଗୁଆ କ୍ଷେତ ମୁଁ ଦେଖିଛି
କ୍ଷେତରେ ମୋ ଗାଆଁ ଚାଷୀ
ମଗୁଶୀର ମାସ ପବନର ଖେଳ
ଗାଉଥିବା ବାରମାସୀ ।।
ଦେଖିଛି ସରସୀ ସରସୀରେ ଦଳ
କଇଁ,ପଦୁଅଁଙ୍କ ମେଳା
ପୂରିଲା ତନୁ ତା' ଦେଖିବାକୁ ଦିନେ
କରିନାହିଁ ଅବହେଳା ।।
ଦେଖିଛି ଘରଟେ ସେ ଘରେ ଭଉଣୀ
ବାପା, ମାଆ,ବନ୍ଧୁ, ଭାଇ
ସେନେହ, ଶରଧା, ସରାଗ, ମମତା
ଦେଖିଛି ସେଇଠି ଥାଇ ।।
ରୂପେ ଅନୁପମ ହ୍ରଦ, ସମୁଦର
ଉଚ୍ଚ ପରବତ ଦେଖି
ରାଗ ଆଶାବରୀ ଗାଇଛି ବସି ମୁଁ
କବିତା ପାରିଛି ଲେଖି ।।
ଦିବସ, ରଜନୀ, ଛଅ ଋତୁ ଏଠି
ଦେଖିଛି ମୁଁ ବାସ କରି
ଅନୁଭବେ ଯାହା ସବୁ ଲାଗେ ମୋତେ
ମରତେ ସରଗ ପରି ।।
ଫେରିଯିବି ଯେବେ କିଏ ଜାଣେ କେବେ
ଲେଉଟି ଆସିବି ପୁଣି
ସେଲାଗି ମନରେ ଖେଳୁଛି ଭାବନା
ନିଇତି ହେଉଛି ଗୁଣି ।।
ଯେବେ ହେଲେ ହେଉ ଦେଖିବାକୁ ସବୁ
ମନେ ମୁଁ ରହିଛି ଟାକି
ଦେଖିଛି ଅଳପ ଦେଖୁଅଛି ହେଲେ
ବହୁତ ରହିଛି ବାକି ।।