କାଳୀ କଳସୀ
କାଳୀ କଳସୀ
ତନୁପାତଳୀ ଛିଟ ଫ୍ରକ୍ ଓହଳି
ପଡିଶା ଦାସ ଘର ଝିଅ ମାଳତୀ ମାଳି
ଆମ ଘରକୁ ଆସେ ନିତି ମାଡ଼ି
ଚବର ଚବର କରେ ଅଗାଡ଼ି
ବୋଉ ଆଗରେ ପଛରେ ଗୋଡାଏ
ଗୁଲୁ ଗୁଲିଆ କଥା ଦିଏ ଅଜାଡ଼ି।
ସମସ୍ତେ ସ୍ନେହ ସରଧା କରନ୍ତି ତାକୁ
ମୋର କିନ୍ତୁ ଜମା ପଡ଼େନି
ଭଲ ପାଠ ପଢ଼େ ବୋଲି ହୁଏ ଫୁଲେଇ
ମୋର କିନ୍ତୁ ରାଶି ଜମେନି
କୁମ୍ଭ ରାଶିକୁ କନ୍ୟା ଅଳସି l
କାଳୀ ସୁରେଇ କଳସୀ
ବକର ବକର ବିରାମ ହୀନ ଲଗାମ ଛିନ୍ନ
ବିନା ବ୍ୟାଟେରୀ ମୋଡ଼ା ତାରକସି
କାନ ଅତଡ଼ା କରିଦିଏ ଘାଏଁ ଘାଏଁ
ଦଣ୍ଡେ ନିମିଷେ ବି ପଡ଼ିଲେ ବସି ।
ମୋତେ କିନ୍ତୁ ଖେଣ୍ଟିଆ ମିଳେ
ରାଗରେ ମୁଁ କହେ ଖତେଇ
ଆସିଲାଣି ଓଲେଇ ବିଲେଇ
ଖାଇଯିବ ସବୁ ମାଛ ମିଠେଇ
ଚାଟିଯିବ ସବୁ ଆଚାର କଢେଇ
ଚାପିଦେବ ସବୁ ଫ୍ରିଜ୍ ଆଢ଼େଇ ।
