ଭୁଲ କାହାର କୁହ
ଭୁଲ କାହାର କୁହ
ହେ ସୃଷ୍ଟି ନିୟନ୍ତା ଜଗତର କର୍ତ୍ତା
ତବ ପଦେ କରେ ଅଳି
ତୁମର ସୃଷ୍ଟିର କ୍ଷୁଦ୍ର ଜୀବ ମୁଁହି
ଭୁଲ ଟିଏ ମୁଁ ଦେଖିଲି |
ଦେଇଛତ ଶିକ୍ଷା ଅନ୍ୟାୟକୁ କେବେ
ନୀରବେ ସହିବ ନାହିଁ
ସେ ଆଇନ ବଳେ ମାଗୁଅଛି ନ୍ୟାୟ
କ୍ଷମା ଦେବ ଭାବଗ୍ରାହୀ |
ସୃଷ୍ଟି ବାଗିଚାରେ ଫୁଲ ଗଛଦେହେ
ଏକ ଡାଳେ ଦୁଇ ଫୁଲ
ନାରୀ ଓ ପୁରୁଷ ନାରୀତ୍ଵ ପୌରୁଷା
ଦୁହେଁ ଯଦି ସମତୁଲ |
ଯୌବନର ମାତ୍ତେ ଝିଅଟିଏ ଯେବେ
ପାପ ପଥେ ପଦ ଦିଏ
ଅବୈଧ ମାତୃତ୍ୱ ପ୍ରମାଣ ହୋଇଣ
ମୁଖେ କାଳୀ ବୋଳା ହୁଏ |
ସମାଜରେ ସେହୁ ହୁଅଇ ନିନ୍ଦିତ
ଦୁଖେ ଯାଏ ତାର ଦିନ
ମନେ ସିଏ ଭାବେ ଛାର ନାରୀ ଜନ୍ମ
ପାଇ ହେଲି ହୀନିମାନ |
ମାତ୍ର ଯେଉଁ ନର କରନା ଏହାର
ତା ପ୍ରମାଣ କିଛି ନାହିଁ
ପାଞ୍ଚ ଜଣ ମଧ୍ୟେ ଜଣେ ହୋଇ ସିଏ
ଆନନ୍ଦେ ସଂସାରେ ଥାଇ |
ନାରୀତ୍ଵ କିପରି ମାଟି ହାଣ୍ଡି ହେଲା
ଛୁଇଁ ଦେଲେ ଛୁଆଁ ହେଲା
କେଉଁ ପୁଣ୍ୟବଳେ ପୁରୁଷ ପୌରୁଷ
ପିତଳ ହାଣ୍ଡି ହୋଇଲା |
ପୁରୁଷଠୁ ଆଧା ନାରୀଠାରୁ ଅଧା
ସନ୍ତାନ ହୋଇଲେ ଜାତ
ସତୀତ୍ୱ ପୌରୁଷ ପ୍ରମାଣ ମିଳନ୍ତା
ଭାଙ୍ଗନ୍ତା ଗେଲ ଗମାନ୍ତ |
ପ୍ରଭୁହେ ତୁମର ମହା ଭୁଲ ଏହା
ସୁଧାରି ପାରିବ ନାହିଁ
ଯଦି ଥାଏ ୟାର ଅନ୍ୟ ପ୍ରତିକାର
ଦିଅହେ ମୋତେ ବତାଇ |