ଭ୍ରମ
ଭ୍ରମ
ଯେତେ ଥର
ଚାହିଁଲି ଆଇନାକୁ
ଦେଖାଗଲା ତମ ମୁହଁ
ଯାହା କେବେ ଦେଖି ନାହିଁ
ଶୁଭୁଥିଲା ବାହାରୁ
ତମେ ଡାକିବାର
କେବେ କେବେ
ପାଦ ଶବ୍ଦ ତମର
ଯାହା କେବେ ଶୁଣି ନାହିଁ
ଅଥଚ ଏକାନ୍ତ
ପରିଚିତ ମୋର
କେବେହେଲେ ଭୁଲି ନ ହେବାର
ମୁହଁ ଫେରେଇ
ଚାହିଲା ବେଳକୁ
ତମେ ନୁହଁ. ତମେ ନୁହଁ
ଏବଂ କେହି ନୁହଁ ॥
ତମ ସହ
ଦେଖା ହେବ ବୋଲି
ରାତି ଦିନ
ଦିନ ରାତି ମୋର
ଗୋଟେ ହିଁ ସମୟ
ଦୂରକୁ ଆସିଲେ
ଆଖିଯାକ ଛଳ ଛଳ ଲୁହ
ଛାତି ଯାକ କୋହ
ନିଜକୁ ବି ଶୁଣେଇବି
ନାନାବାୟା କେତେ
ତମେ ଆସିବାର
ମୂହୁର୍ତ୍ତକୁ ଆଖିରେ ସାଇତି
ଅଥଚ ସେ ପଲକ
ଟେକିଲା ବେଳକୁ
ତମେ ନୁହଁ. ତମେ ନୁହଁ
ଏବଂ କେହି ନୁହଁ ॥
ସହସ୍ର ସ୍ଵପ୍ନର
ଦର ଆଉଜା କବାଟକୁ ଧରି
ନିରେଖିଛି ମୁଁ ଯେ
ତମ ଆସିବାର ବାଟ
ତମେ କଣ ବୁଝୁ ନାହିଁ
ଏଇ ମୋର “ମୁଁ”ର ଅସ୍ତିତ୍ୱ
ତମର ସେ ଆସିବା ବାଟରେ
ଆଉ ସବୁ କାମନାକୁ
ଫିଙ୍ଗି ଦେଇପାରେ,
ପୁଣି ସ୍ମୃତିର ସ୍ୱପ୍ନରେ
ତମ କଥା ଭରିପାରେ
ସ୍ଵପ୍ନ ତୁଟିଗଲେ
ତମେ ନୁହଁ. ତମେ ନୁହଁ
ଏବଂ କେହି ନୁହଁ ।।

