ଭୋକ
ଭୋକ
ଭୋକିଲା ପେଟରେ ସବୁ କରିହୁଏ
କିଛି ଜଣା ଯାଏ ନାହିଁ
ଭୋକ ପାଖେ ପାପ ପୁଣ୍ୟର ବିଚାର
ନଥାଏ କୋଉଠି କାହିଁ ।।
ଦେହର ଭୋକ ଅବା ପେଟର ଭୋକ
ଅହରହ ଜଳେ ନର
ଶାନ୍ତିରେ ରଖେଇ ଦିଏନା କାହାକୁ
ସମାଜେ ଭରେ ବିକାର ।।
ହଜେଇ ଦିଏ ସେ ମନୁଷତ୍ବ ଗୁଣ
ବୁଦ୍ଧି ଓ ବିବେକ ସବୁ
ଭୋକିଲା ଲୋକର ମନରେ ବିଚାର
କଥାକୁ କେବଳ ଭାବୁ ।।
ଭୋକର ଭୂଗୋଳ ପଢି ହୁଏ ନାହିଁ
କଥାରେ ହୁଏନି କହି
ଭୋକର ଚିତ୍ରକୁ କିଏ ଆଙ୍କି ପାରେ
ଅନୁଭବ ଯଦି ନାହିଁ ।।
ଭୋକର ରୂପକୁ ସେଇ ବୁଝିପାରେ
ଭୋକେ ଯଦି କିଏ ଥାଏ
ଅଦୃଶ୍ୟ ଦାନବ ପରି ଦେଖାଦିଏ
ଏକଥା ଅନ୍ୟଥା ନୁହେଁ ।।
ପ୍ରେମ ଅବା ହେଉ ପ୍ରୀତିର ପୁଲକ
ସବୁ ଲାଗେ ଅକାରଣ
ଭୋକ ପାଇଁ ସଂସାରରେ ଘଟିଥାଏ
ଅନର୍ଥ ଅନେକ ଜାଣ ।।
ପେଟଭୋକ ତାଡନାରେ ମଣିଷଯେ
ଛାଡେ ନିଜ ଭିଟାମାଟି
ଭୋକିଲା ମଣିଷ ଜାଣେନା କେମିତି
ବାନ୍ଧିବ ସଂପର୍କ ଗଣ୍ଠି ।।
ଭୋକର ନାହିଁଯେ ସୀମା ପରିସୀମା
ଅବା ଆକାର ପ୍ରକାର
ଭୋକିଲା ମାନବ କରିପାରେ ଯାହା
ପାପ ଆଉ ଅନାଚାର ।।
କଅଁଳା ଶିଶୁର କାନ୍ଦରେ ପଛରେ
କାରଣଟା ପରା ଭୋକ
ତରୁଣୀ କରୁଣ ବିକଳ ଚିତ୍କାରେ
ଲୁଚିଛି ସିଏ ତ ଦେଖ ।।
ବାର ବାରଙ୍ଗନା ପେଟ ପାଇଁ ସିନା
କରିଥାଏ ଅପକର୍ମ
ଭୋକର ତାଡନା ବୁଝେନା ସମାଜ
କୁହଇ ତାକୁ ଅଧର୍ମ ।।