ଭୋଗର ସମ୍ପତ୍ତି
ଭୋଗର ସମ୍ପତ୍ତି
ଶରୀର ଭୂଗୋଳରେ
ଯାହାଥିଲା ଏକାନ୍ତ ନିଜସ୍ୱ
ଗୋପନୀୟ
ସବୁ କୁମାରୀତ୍ୱକୁ
ହୋମ କୁଣ୍ଡରେ
ପୂର୍ଣ୍ଣାହୁତି ଦେଲା ପରେ
ଉଛିଷ୍ଟ ହୋଇଗଲି
ସମର୍ପିତ ହୋଇ
ଜଣେ ଅଜଣା
ଆଦେଖା ମଣିଷ ହୃଦୟରେ।
ହଜିଗଲା ବାପଘର
ଦିଆ ନାଆଁ
ମୋ ପରିଚୟ
ଲାଲ ସୂର୍ଯ୍ୟ ମୋ ମଥାରେ
ଉଇଁଲା ପର ଠାରୁ।
ମୁଁ ହୋଇଗଲି
ଗୋଟେ ଭୋଗର ଦମ୍ପତ୍ତି
ମନୋରଞ୍ଜନ ଜୀବନ୍ତ କଣ୍ଢେଇ
ତୁମେ ମୋତେ ଭଣ୍ଡାଅ
କି ଭଲ ପାଅ
ସମସ୍ତେ ଗୋଡ଼ ଘଷିଲେ
ମୁଁ ଯେଣୁ ଦୁଆର ମୁହଁ
ପାହାଚ ପଥର।
ଝାଡୁ ହେଲି ଛିଣ୍ଡିଲି
ସେବା କରି କରି
ଚାହା ହେଲି ସିଝିଲି
ତୁମେ ପିଇଲ ସମସ୍ତେ କପେ କପେ
କ୍ଷତାକ୍ତ ହେଲା
ଦେହ ଓଠ ଓ ମନ
ତଥାପି ତୁମେ କେଉଁ ଛାଡିଲ ?
ପ୍ରତିକ୍ଷଣେ
ଓଁ ସ୍ୱାହା ହେଉଥିଲି
ଜୀବନ ଯଜ୍ଞରେ।
