STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଭଲା ତଅପୋଇ

ଭଲା ତଅପୋଇ

2 mins
2


ଭଲା ତଅପୋଇ କି ବୁଦ୍ଧି କରିଲୁ

ସୁନା ଚାନ୍ଦ ପାଇଁ ତୁ ଜିଦି ଧରିଲୁ

ଅଧା ଚାନ୍ଦେ ବାପା ପୁରା ଚାନ୍ଦେ ମାଆ

ଦୁହିଁଙ୍କୁ ହରେଇ ଦେଲୁ ।


ସାତ ଭାଇରେ ତୁ ଗେହ୍ଲେଇ ଭଉଣୀ

ସାତ ଭାଉଜଙ୍କ ଥିଲୁ ମଥା ମଣି ।

ଭାଇମାନେ ଗଲେ ବଣିଜ ବେପାରେ 

ଭାଉଜଙ୍କ ପାସେ ରହିଲୁ ଗେହ୍ଲାରେ।

କାହୁଁ ଆସିଲା ସେ ବିଧବା ବ୍ରାହ୍ମଣୀ 

ତିନି ପାଞ୍ଜି ରୁ ତୁ ଗଲୁ ।୧!


ଛଅ ଭାଉଜ ତୋ ବ୍ରହ୍ମଣୀ କଥାରେ

ମଣିଷ ପଣିଆ ପାଶୋରି ଦେଲେରେ।

ଦିନ ରାତି ଦେଲେ ତୋତେ ଲୋ କଷଣ 

ଚିରା ଫଟା ଲୁଗା ହେଲା ତୋ ଭୂଷଣ।

ସାଧବ ର ଝିଅ ଢାଳି ଢାଳି ଲୁହ

ବଣେ ଛେଳି ଚରାଇଲୁ।୨!


ଖାଇବାକୁ ମୁଠେ ଦେଲେନି ଭଲରେ

ପୁରାଇ ଦେଲେନି ତୋତେ ଲୋ ପାଖରେ।

ସାନ ଭାଉଜ ତୋ ଭଲ ପାଉଥିଲା

ଲୁଚି ଲୁଚି ତୋର କଥା ବୁଝୁଥିଲା।

ତୁ ଲୋ ଅଭାଗିନୀ ଭାରି ହୀନିମାନୀ

ଗୁହାଳ ରେ ଶୋଉଥିଲୁ।୩!


ଆହୁରି ଦୁଃଖ ଲୋ ବିହି ଦେଲା ଆଣି

ସୁନ୍ଦରିଆ ଛେଳି ଛୁଆ ଘରମଣି,

ଜଙ୍ଗଲ ରେ ସେତ ଗଲା କାହିଁ ହଜି

ବଡ ଭାଉଜ ତୋ ଉଠିଲା ଗରଜି

ଘରମଣି ବିନା ଘରେ ପସିବୁନି

ପୁଣି ବଣେ ଚାଲିଗଲୁ ।୪!


ଘରମଣି ବୋଲି କେତେ ତୁ ଡାକିଲୁ

କଣ୍ଟା ଘଣ୍ଟା ମାଡି ବଣରେ ଖୋଜିଲୁ।

ଛେଳି ଛୁଆ ତୋତେ ମିଳିଲାନି କାହିଁ 

ଚାହୁଁ ଚାହୁଁ ସଞ୍ଜ ଆସିଲା ଲୋ ନଇଁ।

ଭୋକ ଉପାସ ରେ ଅନ୍ଧାର କୁ ଡର

ଡରିଡରି ଥରୁଥିଲୁ।୫!


ଦେଖିଲୁ ଦୂରରେ ଜଳୁଛି ଦୀପାଳି

ତରତର ହୋଇ ଗଲୁ ତହିଁ ଚଳି।

ତୋ ପରି କୁଆଁରୀ ହୋଇଲୋ ଏକାଠି

ଠାକୁରାଣୀ ପୂଜା ବସି କରୁଥାନ୍ତି।

ଜାଣିଲୁ ମାଆ ସେ ଖୁଦୁରୁକୁଣୀ ଲୋ

ମନ କଥା ଜଣାଇଲୁ ।୬!


ମହିମା ମୟୀ ସେ ମା ଖୁଦୁରୁକୁଣୀ 

ତୋ ଦୁଃଖ ବୁଝିଲେ ତୋର ଡାକ ଶୁଣି।

ଘରମଣି ତୋର ଆସିଲା ଲୋ ଫେରି

ଫେରିଲୁ ଘରକୁ ଛେଳି ଛୁଆ ଧରି।

ସେହି ଦିନ ଠାରୁ ଖୁଦୁରୁକୁଣୀ ଙ୍କୁ 

ଲୁଚି ଲୁଚି ପୂଜା କଲୁ ।୭!


ଭାଇମାନେ ତୋର ଫେରି ତ ଆସିଲେ

ଘୋର ଜଙ୍ଗଲ ରେ ତୋତେ ତ ଦେଖିଲେ।

ଗେହ୍ଲି ଭଉଣୀ ର ଭୀକାରୁଣୀ ବେଶ

ଦେଖି ମନେ ତାଙ୍କ ହେଲା ଭାରି ରୋଷ।

ଦୁଃଖ ତୋର ଶୁଣି ମାଟି ଖସି ଗଲା

ସାତ ଭାଇ ପାଦ ତଳୁ ।୮!


ବୋଇତ ଫେରିଲା ଖବର ଆସିଲା 

ସାତ ସାଧବାଣୀ ଆସିଲେ ଟି ଭଲା।

ମଙ୍ଗ ବନ୍ଦାପନା କରିବା କୁ ଭଲେ

ଜଣେ ଜଣେ କରି ମଙ୍ଗ ମୁଣ୍ଡେ ଗଲେ ।

ତଅପୋଇ କୁ ତ ମଙ୍ଗ ମୁଣ୍ଡେ ଦେଖି

ହେଲେ ସବୁ କାଲୁବାଲୁ।୯!


ଲୁଚି ରହିଥିଲା ସେ ସାଧବ ବାଳୀ

ଛଅ ଭାଉଜ ଙ୍କ ନାକର ବଉଳି,

କାଟି ଦେଇ କଲା ତାଙ୍କୁ ତ ନାକେଇ

ସାନ ଭାଉଜ ଙ୍କୁ ନେଲା ସେ କୋଳେଇ।

ଗାଇ ଜୟ ମାଆ ଖୁଦୁରୁକୁଣୀ ଲୋ

ଦୁଃଖ ମୋର ଦୂର କଲୁ।୧୦!

ମାଆ ଲୋ ପାଦେ ତୋ ଶରଣ ଦେଲୁ

ଦୁଃଖୀର ଗୁହାରୀ ଶୁଣି ଦୟା କଲୁ।


ସେହି ଦିନ ଠାରୁ କୁଆଁରୀ ମାନେ ତ 

ଖୁଦୁରୁକୁଣୀ ଙ୍କ ପାଳିଥାଆନ୍ତି ବ୍ରତ।

ଭାଦ୍ରବ ମାସର ପ୍ରତି ରବିବାର 

ଭକ୍ତିରେ କରନ୍ତି ପୂଜା ମାଆଙ୍କର।

ମନ ପୁରି ଯାଏ ମାଆଙ୍କ ମହିମା 

ବହି ଗୀତ ବୋଲୁ ବୋଲୁ।୧୧!

ମାଆ ଗୋ ପାଦରେ ପ୍ରଣିପାତ କଲୁ

ମାଆ ଗୋ ପାଦରେ ପ୍ରଣିପାତ କଲୁ 



Rate this content
Log in

Similar oriya poem from Abstract