ଭଲ ପାଇଛି
ଭଲ ପାଇଛି
ତୁମ ସାମ୍ନାକୁ ମୁଁ ଆସି ପାରିନି
ତା ବୋଲି କଣ ମୁଁ ଭଲ ପାଇନି
ଭଲ ପାଇବା କେବେ କଣ କିଛି ଚାହିଁଥାଏ
ନା ଦୂରରେ ରହି ଭଲ ପାଇ ହେଇ ନ ଥାଏ ।
କହିଲ ଦେଖି
ସୂର୍ଯ୍ୟ କଣ କେବେ ରାତିକୁ ଦେଖିଛି
କିନ୍ତୁ ରାତି ତାକୁ କେତେ ଯେ ଭଲ ପାଉଛି
କେବଳ ସେ ଟିକେ ଆରାମରେ ଆସୁ ବୋଲି
ରାତି ତ ଫେରେ ନିଜକୁ ହଜେଇ ଦେଉଛି ।
ଭାବିଲ ଥରେ
ବୀଜଟେ କଣ କେବେ ବୃକ୍ଷକୁ ଦେଖିଛି
କିନ୍ତୁ ଗଛଟି ବଞ୍ଚି ଯାଉ ବୋଲି ସେ
ନିଜକୁ ମାଟିରେ ପୁରା ମିଶେଇ ପାରୁଛି ।
କେବେ ଦେଖିଛ କି
ସଳିତାଟେ ଅନ୍ଧାରରେ ବି ଜଳୁଛି
ଆଉ ସେ ଜ୍ଵାଳା ସହିବା ପରେ ମଧ୍ୟ
ଅନ୍ଧାର ତା ଛାତି ଚିରି ବଞ୍ଚି ପାରିଛି ।
ହେଇ ଦେଖ ତ
ନ ମାସ ନିଜ ଗର୍ଭରେ ଧରିଛି
ଆଉ ସେ ଭଲରେ ଜନ୍ମ ନେଉ ବୋଲି
ନିଜେ ମୃତ୍ୟୁ ପରି କଷ୍ଟ ଖୁସିରେ ସହୁଛି ।
ନଦୀଟି କେବେ ଶୁଖି ନ ଯାଉ
ଏତିକି ହିଁ ତ ସେ ସତରେ ଚାହୁଁଛି
ଆଉ ସେହି ଟିକେ ଭଲ ପାଇବା ପାଇଁ
ପଥର ଖଣ୍ଡଖଣ୍ଡ ହୋଇ ନଦୀରେ ବହି ଯାଉଛି ।
ମୁଁ ଚକୋର ନୁହେଁ ଯେ ବର୍ଷାକୁ ଚାହେଁ
କି ଫୁଲଟେ ନୁହେଁ ଯେ ସୁଗନ୍ଧ ଚାହେଁ
ମାଟିର ଛାର ମଣିଷଟିଏ ମୁଁ
କେବଳ ତୁମ ଭଲ ପାଇବା ଟିକେ ଚାହେଁ ।
ଦେଖି ପାରିନି କି ଛୁଇଁ ପାରିନି
ତଥାପି କହିବନି କେବେ ମୁଁ ଭଲ ପାଇନି
ତୁମକୁ ଏତେ ଭଲ ପାଉଛି ବୋଲି ତ ଦେଖ
ମୁଁ ଟିକେ ଶାନ୍ତିରେ ବଞ୍ଚି ବି ପାରୁନି ।