ଭକ୍ତି ଅର୍ଘ୍ୟ - ୩
ଭକ୍ତି ଅର୍ଘ୍ୟ - ୩
ନିଃଶ୍ୱାସରେ ତୁମେ ପ୍ରଶ୍ଵାସରେ ତୁମେ
ତୁମେ ରକ୍ତ କଣିକାରେ
ଆଶକ୍ତିରେ ତୁମେ ଆଶ୍ୱସ୍ତିରେ ତୁମେ
ତୁମେ ପ୍ରତିଟି ଲୋମରେ ।
ଅଶାନ୍ତି ରେ ତୁମେ ପ୍ରଶାନ୍ତି ରେ ତୁମେ
ତୁମେ ମୋ ଉପଲବ୍ଧିରେ
ନିରବରେ ତୁମେ ଶରବ୍ୟରେ ତୁମେ
ତୁମେ ମୋ ହୃଦ କୋଣରେ ।
ବିବେକରେ ତୁମେ ଆବେଗରେ ତୁମେ
ତୁମେ ମୋ ପ୍ରବଣତାରେ
ସମସ୍ୟାରେ ତୁମେ ସମାଧାନେ ତୁମେ
ତୁମେ ବିଶ୍ୱାସ ବୋଧରେ ।
ପ୍ରେମରେ ବି ତୁମେ ଧୋକା ରେ ବି ତୁମେ
ତୁମେ ମୋ ଦୃଷ୍ଟି କୋଣରେ
ଅଜ୍ଞତାରେ ତୁମେ ପ୍ରାଜ୍ଞତାରେ ତୁମେ
ତୁମେ ମୋ ଚତୁର୍ଦ୍ଦିଗରେ ।
ତୁମେ ମୋ ଆଶାରେ ତୁମେ ମୋ ଭାଷାରେ
ତୁମେ ନିରବ ଧ୍ୟାନ ରେ
ତୁମେ ଚତୁର୍ଦ୍ଦିଗେ ଖାଲି ତୁମେ ତୁମେ
ତୁମେ ମାନସ ପଟରେ ।
ତୁମେ ମୋ ପ୍ରିତୀରେ ତୁମେ ମୋ ଗିତୀରେ
ତୁମେ ମୋ ମନ ବୀଣାରେ
ତୁମେ ମୋ ଆପ୍ତିରେ ତୁମେ ମୋ ପ୍ରାପ୍ତିରେ
ତୁମେ ମୋର ବିରହରେ ।
ସପନରେ ତୁମେ ଅନୁଭବେ ତୁମେ
ତୁମେ ମନ ମସ୍ତିଷ୍କରେ
ତୁମେ ମୋ ଚେତନା ତୁମେ ଆରାଧନା
ଶରଣ ତୁମ ପୟରେ ।
