ଭକ୍ତ ବିଲ୍ୱମଙ୍ଗଳ
ଭକ୍ତ ବିଲ୍ୱମଙ୍ଗଳ
ଭାବେ ଚିନ୍ତାମଣି ମନ ମୋ ଅସ୍ଥିର
ବିଲ୍ୱମଙ୍ଗଳଙ୍କ ପାଇଁ
ଅଶୁଭ ସଂକେତ ନୟନେ ଭାସୁଛି
କ୍ଷୁଧା ନିଦ୍ରା ଆସେ ନାହିଁ ।
କୁପଥରେ କିବା ପାଦ ପକାଇଲେ
ଭୁଲିଲେ କି ପ୍ରଭୁ ନାମ
ପାପ ଦୁନିଆଁରୁ ଚାଲି ଯିବି ମୁହିଁ
କାଳିଆକୁ କରି ଧ୍ୟାନ ।
ଝୁମ୍ ଝୁମ୍ ବାଜେ ପାଦର ପାଉଁଜି
ମହକିଲା ମଲ୍ଲୀ ବାସ
ବଣିକର ପତ୍ନୀ ପ୍ରବେଶିଲା ଧୀରେ
ବଦନରେ ମିତ ହାସ୍ୟ ।
ଆନନ୍ଦେ ବିହ୍ୱଳ ସେ ବିଲ୍ୱମଙ୍ଗଳ
ବୋଲନ୍ତି ସଂଗୀତ ସ୍ୱରେ
ଆସ ଆସ ମୋର ହୃଦୟର ରାଣୀ
ଆଲିଙ୍ଗନ କର କରେ ।
ହେ ଚନ୍ଦ୍ର ବଦନା ଖୋଲିଣ ଓଢ଼ଣା
କାମନା ପୁରଣ କର
କାମଜ୍ୱାଳା ଆଜି ବଢ଼ି ବଢ଼ି ଯାଏ
ତୃଷିତ ହୃଦୟ ମୋର ।
ଆହେ ଦ୍ଵିଜ ବର କାହିଁକି ଆତୁର
ଆସିଛି ତୁମରି ପାଇଁ
ରୂପର ପସରା ଯଦି ଯୋଗ୍ୟ ନୁହେଁ
କି କିରବି ତୁଚ୍ଛ ଦେହୀ ।
ଅତିଥିରେ ଭକ୍ତି ଦେଇ ମୋର ମତି
ଆଣିଛି ଏ ଉପହାର
ଉପଭୋଗ କଲେ ଧନ୍ୟ ମୁଁ ମଣିବି
ଯିବି ମୁହିଁ ସ୍ୱର୍ଗପୁର ।
ପ୍ରଫୁଲ୍ଲ ବଦନେ ଅବଗୁଣ୍ଠନକୁ
ଖୋଲିଲେ ବିଲ୍ୱମଙ୍ଗଳ
ବାରଂବାର ଆସି ଚିନ୍ତାମଣି ଛବି
ନେତ୍ରରେ କରିଲା ଖେଳ ।
ଯେତେ ଚେଷ୍ଟା କଲେ ମନେ ପଡି ଯାଏ
ଧିକ୍କାର ବଚନ ତାର
ନିବାରଣ ପାଇଁ ଉପାୟ ଚିନ୍ତିଲେ
ଦୃଷ୍ଟି ହେଉ ନାରଖାର ।
ଚିନ୍ତିତ ଦେଖିଣ ବିମଳା ବୋଲଇ
ଶୁଣ ହେ ସାଧୁ ଗୋସାଇଁ
କାହିଁକି ବିଷାଦ ତୁମ ଶ୍ରୀମୁଖରେ
ମୋ ରୂପେ କି ଚାରୁ ନାହିଁ ।
ଅଜଣା ରାଇଜେ ଭାସନ୍ତି ସହଜେ
ଚିନ୍ତାମଣି କଥା ଭାବି
କେଉଁ ରୂପେ ଥିଲି ପରିବାର ତ୍ୟାଗୀ
କାମ ବାସନାରେ ଦବି ।
ପୁଣି ଥରେ ବୋଲେ ଧନୀକ ରମଣି
ଶୁଣ ଆହେ ଦ୍ଵିଜବର
ତୁମକୁ ସନ୍ତୁଷ୍ଟ କରିବା ପାଇଁକି
ନାହିଁ କି ସୌରଭ ମୋର ।
ଶୁଣ ବିମଳା ଗୋ ଯାହା କୁହେ ସତ୍ୟ
ତୁମେ ଅଟ ଲୋଭନୀୟା
ସ୍ୱର୍ଗ ଅପସରୀ ଯିବେ ଅପସରି
ଈର୍ଷାନ୍ୱିତେ ତ୍ୟାଗୀ ମାୟା ।
ତେବେ କାହିଁ ପାଇଁ ବିଳମ୍ବରେ ରତ
ରତିରେ ନାହିଁ ଗୋ ମତି
ସନ୍ତୋଷ ଲଭିଲେ ଅତିଥିଙ୍କ ମନ
ଦେବଲୋକ ହେବ ପ୍ରାପ୍ତି ।