ଭକତ ବାନ୍ଧବ
ଭକତ ବାନ୍ଧବ
ଭକତ ବାନ୍ଧବ ତୁହି ବୋଲାଉଛୁ
ଭକ୍ତ ଡାକ ଶୁଭୁ ନାହିଁ
ଷାଠିଏ ପଉଟି ପେଟେ ଖାଇ ଦେଇ
ପଲଙ୍କେ ଶୋଉଛୁ ଯାଇ।
ଚକା ଆଖିରେ ତୋ' ନିଦ ଆସେ ନାହିଁ
ଏ' କଥା ଶୁଣିଛି ମୁହିଁ
ଜାଣିଶୁଣି ଆଜି ଚେଇଁ କି ଶୋଇଛୁ
ଅଚଳ ଦାରୁ ଯେ' ହୋଇ।
ପତିତପାବନ ଉଡେ ଫର ଫର
ନୀଳଚକ୍ର ମୁକ ସାକ୍ଷୀ
ବାଇଶି ପାହାଚେ ମନ ବଳିଛି ରେ
ନବୁ ମୋତେ ଟିକେ ଡାକି।
ସିଂହ ଦ୍ୱାର ତୋର ଖୋଲି ଗଲାଣିରେ
ଭକତ ହେଲେଣି ମେଳ
ଦୂରେ ଥାଇ ମୁହିଁ ବିକଳ ହେଉଛି
କେବେ ଆସିବ ମୋ' ବେଳ।
ଗରୁଡ଼ ପଛରୁ ତୋତେ ଚାହିଁ ଦେଲେ
ଆପେ ଝରି ଯାଏ ଲୁହ
କାହିଁକି ମଉନ ହୋଇ ତୁ' ରହିଛୁ
ସପନରେ ଥରେ କହ।