STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଭିତର କନିକା

ଭିତର କନିକା

3 mins
3


ଚାରୁ ଶୋଭା ମୟ ସୁଷମା

ମନ ନିଅଇ କିଣି,

ମାଆ କୋଳେ ରହି ଶିଶୁଟି

ସ୍ଵର୍ଗ ଆନନ୍ଦ ଜିଣି।

ପ୍ରକୃତି କୋଡରେ ମଣିଷ

ରହି ନରୁହେ ଖେଦ,

ପରିବାର ପ୍ରିୟ ଜନଙ୍କ

ସାଥେ ନରଖି ଭେଦ।

ବନ କୁସୁମିତ ଗହଳ

ଫୁଲ ଫଳର ଶୋଭା,

ମଝିରେ ପ୍ଲାବିତ ନାଳାଟି

ଦିବ୍ୟ ସରିତା ଉଭା।

ମୁଣ୍ଡ ଟେକି ଦେଖେ ମଗର

ମୀନ ମାରନ୍ତି ଡିଆଁ,

ମାଆ ପାଖେ ମୃଗ ଶାବକ

କୂଳେ ଅନାଏ କିଆଁ।

ଆମ ଇଲାକାରେ କିଏସେ

ପଶିଆସିଲେ ଲୋକ,

ସବୁ ଖାଇ ପୁଣି ଆମକୁ

 ଦେଖି ପେଟରେ ଭୋକ।

ମାଆକୁ କୁହଇ ଚାଲଗୋ

ମତେ ଲାଗଇ ଡର ,

ଜଙ୍ଗଲ ଆମର ରାଇଜ ସେ

ସାଙ୍ଗ ସାଥିଙ୍କ ଘର।

ଇନ୍ଧନ ଚାଳିତ ନଉକା

ଗତି ନିକଟ ଦେଖି,

ମାଆ ଛୁଆ ଡିଆଁ ମାରନ୍ତି

ଦେଖି ନପାରେ ଆଖି।

କିଆଁକି ବେରୁଆଁ ଫୁଲରେ

କୂଳ ମଣ୍ଡନ ଧରି,

ହେନ୍ତାଳ ବନର ଶୋଭାକୁ

ନୁହେଁ ବର୍ଣ୍ଣନା କରି।

ଗୋରୀ, ମାଜୁଥାଏ ଚେହେରା 

ସାଙ୍ଗ ସାଥିଙ୍କ ମେଳେ,

ତୃଣ ଚରୁଥାନ୍ତି ସେପଟେ

ବନ ମୁରୁଗ ଦଳେ।

ପାଣି ଆମ୍ବ ବେଲ ପରିକା

ଫଳି ଗଛରେ ଝୁଲେ

କିଆଁଫୁଲ ମଧୁମାଳତୀ

ଶୋଭା ନଦୀର କୂଳେ।

ହେନ୍ତାଳ ବଣର କୂଳରେ

ନାବ ରଖଇ ଯେବେ,

ଜଙ୍ଗଲର ଚାରୁ ସୁଷମା

ଭୂଲି ହେବନି କେବେ।

ମହୁଝରେ ମହୁ ଫେଣାରୁ

ନାନା ପକ୍ଷୀଙ୍କ ମେଳ,

ଗଜା ପରି ମାଟି ଉପରେ

ଗଛ ଚେରର ଖେଳ।

ସୁନା ପରି ଚୁନା ବେରୁଆ

ଫୁଲ ଜିଣଇ ମନ ,

ଜାମୁ, ଆମ୍ବ, କେତେପ୍ରକାର

ବୃକ୍ଷ ଜଙ୍ଗଲ ଧନ।

ବାତ୍ୟା ବେଳେ ବୃକ୍ଷ ସମ୍ପଦ

ମାନେ ପବନ ସହି,

ନିଯେ ଭାଙ୍ଗି ମରି ଆମକୁ

ରକ୍ଷା କରନ୍ତି ରହି।

ଆଗରେ ବିଲୁଆ ଦଳଟେ 

ଭୁକି ଉଠିଲେ ଦେଖି ,

 ଫେରିଯାଅ ସବୁ ଏଠାରୁ

ଅବା କହିଲେ ଛେକି।

ଆଗକୁ ଚାଳିତ ନଉକା

ଜୀବ ପରମ ଭେଟ,

ସରିତା ସାଗର ମିଳନ

ସ୍ଵର୍ଗ ଦ୍ଵାରକୁ ବାଟ।

ପାହାଡ଼ ଭିତର ଝରଣା

ମାତା ତଟିନୀ ଧାଇଁ ,

ବହୁ ପଥ ଭ୍ରମି ଆସିଛି

ସିନ୍ଧୁ ମିଲନ ପାଇଁ।

ତୋଷିଅଛି ଜଳ ସଭିଙ୍କୁ

ଗଙ୍ଗା ପବିତ୍ର ହୋଇ,

କେତେ ଜୀବ ଜନ୍ତୁ ତାକୋଲେ

ବନ ପ୍ରାନ୍ତର ଧୋଇ।

ଅବିଶ୍ରାନ୍ତ ସେବା କରିଛି

ଆସି ପରମ ସହ ,

ଏକାକାର ହୋଇ ଜାଇଛି

ସ୍ଥିର ନିଶ୍ଚଳ ଦେହ।

ଅନନ୍ତ ଆକାଶ ଉପରେ

ତଳେ ଅଗାଧ ଜଳ,

ଏଖୁଦ୍ର ଜୀବର ପ୍ରଣତୀ

ଦେଖି ଅପୂର୍ବ ବଳ।

ବିଶ୍ଵରୂପ ଅବା ଅର୍ଜୁନ

ଭୟ ଆତଙ୍ଗ ମୟ 

ଆଉ ନଦେଖାଅ ଏରୂପ 

ମନ ଅସ୍ଥିର ଭୟ।

 



Rate this content
Log in

Similar oriya poem from Action