ଭିନ୍ନ ଏକ ସ୍ୱର
ଭିନ୍ନ ଏକ ସ୍ୱର
କି ଜ୍ୱାଳାରେ ଜାଳୁରେ କୋଭିଡ ତୁ
ଏଠି ଅଜଗର ପରି ରାତି
କଡ଼ ଲେଉଟାଏ ନିଶା ଗର୍ଜନେ,
ଧୁ ଧୁ ଜଳେ ନିଆଁ ହୁଳା
ଛାତିରେ କଣ୍ଟାଜିଓଉସର ତାତି |
କି ଦୁଃସ୍ୱପ୍ନ ଦେଲୁରେ ପିଶାଚ ତୁ ଏବେ
ନାହିଁ ନିଦ, ଶୁଭେ ଆର୍ତ୍ତ ଚିତ୍କାର
ନାହିଁ କିନ୍ତୁ, ପେଣ୍ଡୁଲମର ସୁର,
ଏବେ ସାଇରନର ଶବ୍ଦ ଲାଗେ
ଘନ ଘୋର ବିକଟ ଗର୍ଜନ,
ଏ ଜହ୍ନ, ଆକାଶ, ପୃଥିବୀ ସବୁ ଅଶାନ୍ତ
ଅସ୍ତ ବ୍ୟସ୍ତ, ଏ ବସ୍ତି, ସାହି ଓ ସହର,
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲେ ଖାଲି,
ଲାଗେ ପବନ ବି ଏଠି ଜହର |
କି ଭ୍ରୁଣରେ ଗଢ଼ାରେ ତୁ ପାରାସାଇଟ
ତୋ ଦେହ ସାରା ଭୂତ ପ୍ରେତ ନିଶାଚର,
ପିଉରିଫାଏଡ ହାଇଟେକ ମାସ୍କ ଥିଲେ ବି,
ନିଜାମୁଦ୍ଦିନ, ମରକତରେ ବି ଡର |
ଭାବିଛୁ କି ଚରି ଯିବୁ ଏ ଦେଶ,
ଦିଶା ପିଣ୍ଡ ଓ ପ୍ରାଣ..? କିନ୍ତୁ ଜାଣିନୁ,
ଆମେ ଏ ବଗିଚାର ମାଳି,
ଦେହରେ ଆମ ଅସରନ୍ତି ଲହୁ ଲୁହ,
ଫୁଲ ଫଳ, ଫୁଟେ ରକ୍ତର ଗୋଲାପ..|
ଏ ସମୟର ଡ଼ାକରାରେ
ହେଲୁ ସିନା ଆମେ ଭିନ୍ନ ଭିନ୍ନ,
ହିନ୍ଦୁ, ମୁସଲିମ, ଶିଖ ଇସାଈ
ଯେତେ ଭାଇ ସେତେ ଘର,
ମଇଁଷି ସିଂଘ ଫଟା, ଯୁଝିଲା ବେଳକୁ ଗୋଟା,
ଏକ ଆଉ ଅଭିନ୍ନ, ବିଭିନ୍ନତାରେ ଏକତାର ସୂତ୍ର,
ଏଇତ ଆମ ଅନ୍ତଃସ୍ୱର,...|
ଆସିଲୁ ତୁ ଭଲ କଲୁ ପାଣ୍ଡେମିକ ତୁ
ଶିଖେଇଲୁ ଭିନ୍ନତାର ଅନ୍ୟ ଏକ ମନ୍ତ୍ର
ଦେହ ସିନା ସଙ୍ଗରୋଧରେ,ହେଲେ ମନ,
ମନ ଏଠି ନିର୍ବିରୋଧ, ଏକାକାର...|
ଯେଉଁ ବାଟେ ଆସିଛୁ ତୁ ମହାମାରୀ,
ତୋର ଭୟାନକ ରୂପ,କରିବାକୁ ସର୍ବନାଶ,
ଏଠି ଶହେ ତିରିଶ କୋଟି ଜଣଙ୍କ ଆୟୁଷ
ପାରିବୁନି ତୁ, ହେବ ଖର୍ବ ତୋ ପ୍ରୟାସ,
ଜ୍ଞାନ ବିଜ୍ଞାନର ପ୍ରଜ୍ୱଳିତ ବହ୍ନି
ଏ ଦେଶ ଅଜେୟ, ପୁଣ୍ୟ ଭାରତ ବର୍ଷ
ପ୍ରଜ୍ଞା ପ୍ରଜ୍ୱଳନେ ପ୍ରଜ୍ୱଳିତ
ହେବୁ ତୁ ଅଥର୍ବ ପାଉଁଶ .......|
