ଭିନ୍ନ ଏକ ହୋଲି
ଭିନ୍ନ ଏକ ହୋଲି


ଏଠି ମଣିଷ
ପ୍ରତିଦିନ ନିଜର ରଙ୍ଗ ବଦଳାଏ,
ନୂଆ ନୂଆ ରଙ୍ଗରେ ନିଜକୁ ଘଷି-ମାଜି,
ଦିନକୁ ଦିନ ଚିକ୍କଣ କରି ଚାଲେ ନିଜ ଅବୟବ ;
ଦେହରେ ବୋଳି ନାନାଦି ରଙ୍ଗ ପ୍ରଲେପ
ଦୌଡୁଥାଏ ସେ ଇତଃସ୍ତତ ଭାବେ ,
ନିଜ ଠାରୁ ଦୂରକୁ,
ବହୁ ଦୂରକୁ ।
ରାତି ଅଧରେ ଅଭିସାରିକାର ମନ ନେଇ
ଭିଜା ଶେଫାଳି ସହ ଶୁଭ୍ର-ସ୍ନାତା ସାଜି ,
ଯେଉଁ ରୂପ ଲାବଣ୍ୟ
କସ୍ତୁରୀ-ଚନ୍ଦନର ଭୁରୁ ଭୁରୁ ବାସ୍ନାରେ ,
ହୋଇଉଠେ ଚିର ଇପ୍ସିତ, ବହୁ- ପ୍ରତୀକ୍ଷିତ ।
ସକାଳର ସୁନେଲୀ କିରଣରେ
ଶୁଭ୍ରତା ର ଆଭା ତେଜି
ସେ ହିଁ ହୁଏ ପ୍ରଥମେ ଅନ୍ଧକାରର ଦାସୀ ,
ସଜ୍ଜଳ ନୟନରେ ବୋଳି କଳଙ୍କ କଜ୍ଜ୍ୱଳ
ସବୁ ରଙ୍ଗକୁ ବିସର୍ଜ୍ଜନ ପୂର୍ବକ
ନିଜ ପାଇଁ ବାଛିନିଏ କଳାରଙ୍ଗ ଟିକକ ।
କାମନାର ମାୟାଜାଲରେ ଛନ୍ଦା,
ନିଉଟନଙ୍କ ସେ ସାତ ରଙ୍ଗର ଚକ୍ରୀ ,
ରାତିର ନୀରବ ପ୍ରହରରେ&nbs
p;
ସବୁ ରଙ୍ଗକୁ ମିଶାଏ,ଗୋଳାଏ ,
ସୃଷ୍ଟି କରେ ଶୁଭ୍ରାବରଣ ।
କିନ୍ତୁ ଦିନର ଆଲୋକରେ
କୁଆଡେ କେଜାଣି ଉଭେଇ ଯାଏ,
ତା'ର ସେ ଶ୍ଵେତ ରୂପକାନ୍ତି !
ରଙ୍ଗର ସାମ୍ରାଜ୍ୟରେ ଚାଲେ କେବଳ
କଳା-କାଳିମାମୟ କଳଙ୍କର ରାଜୁତି ।
ସବୁ ରଙ୍ଗକୁ ଆପଣେଇ କିଏ
ନିଜକୁ ଘୋଡାଇ ଦିଏ,
କେବଳ ଏକ ସଫେଦ ଚାଦର ତଳେ ,
ଆଉ କିଏ ରଙ୍ଗୀନ ଜୀବନକୁ
ଭଲ ପାଏ ବୋଲି ,
ନିଜ କ୍ଷତାକ୍ତ ଶରୀରକୁ ଆବିଷ୍କାର କରେ, ରାସ୍ତାକଡେ , ନର୍ଦ୍ଦମା ପାଣିରେ
ଅବା ଡାକ୍ତରଖାନା ଡ଼ଷ୍ଟବିନ୍ ର ଅଳିଆ ଭିତରେ।
ଆଲୋକର ସବୁ ନିୟମ ବି ହୁଏ
ଜୀବନର କ୍ରୁରତା ଆଗରେ
ପରାଜିତ, ପ୍ରତ୍ୟାହୃତ ;
ଯେଉଁ ରଙ୍ଗର ରଙ୍ଗମଞ୍ଚରେ ନିତି ନିତି ଚାଲେ ,
ଏ ପ୍ରକାର ରଙ୍ଗୀନ ନାଟକ ,
ସେଠି ପୁଣି ;
ରଙ୍ଗର ଏ ପ୍ରାୟୋଜିତ ପର୍ବ, ହୋଲିର ଅବା କି ପ୍ରୟୋଜନ ।