ଭିଜା ମାଟିର ସ୍ବପ୍ନ
ଭିଜା ମାଟିର ସ୍ବପ୍ନ
ଭିଜା ମାଟିର ସେ ଭିଜା ସପନରେ
ରାତି ଟା ଯାଇଛି ପାହି
ସୁନେଲି କିରଣ ପହିଲି ପରଶେ
ପ୍ରତ୍ୟୁଷ ଲେଖୁଛି ବହି |
ପହିଲି ଆଷାଢ଼ ବରଷାରେ ଭିଜି
ଧରାର ତପ୍ତ ମାଟି
ସ୍ନିଗ୍ଧ ସୁଗନ୍ଧରେ ହୁଏ ବିମୋହିତ
ସତେକି ପଡ଼ିବ ଲୋଟି |
ପ୍ରତିଟି ପ୍ରାଣରେ ପୁଲ୍ଲକ ଖେଳାଇ
ଭିଜା ମାଟି କହେ କଥା
ପ୍ରୀତି ପ୍ରଣୟ ର ଶ୍ରଦ୍ଧା ସୁମନରେ
ମନୁ ଦୂର କରେ ବ୍ୟଥା |
ପୁଣ୍ୟଗର୍ଭା ହୁଏ ଶୁଷ୍କ ଧରଣୀ
ସବୁଜିମା ଯାଏ ଖେଳି
ଭିଜା ମାଟିର ସେ ଆର୍ଦ୍ର ପରଶେ
କ୍ଷେତ ହୁଏ ଶସ୍ୟଶାଳୀ |
ଆନମନା ହୁଏ କବିର ଲେଖନୀ
ଦୂରେ କଳା ମେଘ ଦେଖି
ଅପରୂପ ଶୋଭା ମଗ୍ନ କରାଏ
କବିତା ଯାଏ ସେ ଲେଖି |
କଳ୍ପନା ବିଭୋର ଭିଜା ତନୁମନ
ଭିଜା ମାଟି ଭିଜା ବାସ୍ନା
ଲୁଚକାଳି ଖେଳେ ବଉଦ ଘେରରେ
ସୁନେଲି ଚପଳ ଜ୍ୟୋସ୍ନା |
ମୋ ହୃଦ କାନନେ ପ୍ରଜ୍ବଳିତ ହୁଏ
କାମନାର ଅଗ୍ନି ସ୍ରୋତ
କେବେ ଲଭିବି ମୋ କଳ୍ପନା ପ୍ରେୟସୀ
ଜ୍ୱଳା ହେବ ପ୍ରଶମିତ |
ଦୂର ପର୍ବତ ର ପାଦପ ଶିଖରେ
କପୋତ କରିଛି ବସା
ନୂଆ ସୃଷ୍ଟିଟିଏ ଗଢିବା ପାଇଁକି
ମନରେ ବାନ୍ଧିଛି ଆଶା |
ଯାଇଛି ଆଷାଢ଼ ଆସିଛି ଶ୍ରାବଣ
ବରଷାର ବାରି ଧାରା
ବେଳୁ ବେଳୁ ବର୍ଷେ ମୁଷଳ ଧାରାରେ
ନଦୀ ହୁଏ ଜଳ ଭରା |
ଉଛୁଳି ଉଠୁଛି ଗିରି, ବନ,କ୍ଷେତ
ଜଳର ପ୍ରକୋପ ବଳେ
ଭିଜିବାର ସୁଖ ଅଚିରେ ପାଶୋରେ
ବଞ୍ଚିବାର କଉଶଳେ |
ଭିଜା ମାଟି କେବେ କାହା ପ୍ରାଣେ ଭରେ
ଆଶା ଅସୁମାରୀ ସ୍ବପ୍ନ
କେବେ କଳ୍ପନାର ଫଟା କାନଭାସରେ
ଚିତ୍ର ଆଙ୍କି ହୁଏ ମଗ୍ନ |
