ଭଗ୍ନ ହୃଦୟ
ଭଗ୍ନ ହୃଦୟ
ସାଗରେ ଅଧିର ସୁନୀଳ ତରଙ୍ଗ
ବିଶ୍ବାସ ର ବାର୍ତ୍ତା ନେଇ,
ମରମ ତଳର ବିରହ ବେଦନା
ମହୋଦଧି କୂଳ ଛୁଇଁ ।
ଭଗ୍ନ କୋଣାରକ କହିତ ପାରେନା
ବିବର୍ଣ୍ଣ ର ବିବଶତା
କାମନାର ଶୋଷ ଓଠ ଧାରେ ଧରି
ହଜିଯାଏ ମଧୁରତା ।
ସଞ୍ଚିତ ପ୍ରେମର ଅମାପ ପୀୟୂଷ
ସବୁତ ଯାଇଛି ଢାଳି,
ମାୟାର ରଙ୍ଗଟି ମିଶେ ଦିଗନ୍ତରେ
ହୃଦୟ ଦେଇଛି ଜାଳି ।
ଶିଳ୍ପୀର ଜୀବନେ ସାଜିଲ ପ୍ରେରଣା
ଅମ୍ଳାନ ପ୍ରତିଭା ରାଜି,
ଇଛା ଅନିଚ୍ଛା ତ ଶୂନ୍ୟରେ ମିଳାଏ
ନିରବେ ଝୁରୁଛି ଆଜି ।
ଆଖିର ଲୋତକ ପାଲଟେ ରୁଧିର
ସୁଖତ ଅମାପ ଦୂରେ,
ଅପେକ୍ଷା ପ୍ରତୀକ୍ଷା ମୂଲ୍ୟହୀନ ଲାଗେ
ଅମାନିଆ ମନ ଝୁରେ ।
ଭାଙ୍ଗିଦେଇ ମୋର ସ୍ବପ୍ନର ନିଡଟି
ମଜ୍ଜିଗଲ ନିଜ ସୁଖେ,
ନିରବ ବିଜନେ ଭଗ୍ନ ଏ ହୃଦୟ
ରହିଗଲା ତୁମ ପାଖେ ।
ପ୍ରତିଶ୍ରୁତି ଧ୍ୱନୀ ଜୀବନ ସୃଜନୀ
ଦୂର ଦିଗନ୍ତରେ ହଜେ,
ନିରାସକ୍ତ ହୋଇ କେଉଁ ଲାଭକୁହ
ନିତି ଝୁରେ ନିତି ଖୋଜେ ।
ଭିଜା ପଣତରେ ହଜିଯାଏ ଯେବେ
ଜୀବନର ଇତିବୃତ୍ତି ,
ଭଙ୍ଗା ମନ ତଳେ ଆଖିର ଲୁହରେ
ଲେଖା ଏ ଜୀବନ ଗୀତି ।
କେମିତି ସାଜିବି ନୀଳକଣ୍ଠ ଆଜି
କେ' ନେବ ଯାତନା ରାଗ,,
କିଏ ପ୍ରତୀକ୍ଷିତ ଅପେକ୍ଷା କରିଛି
ଭରି ଦେବ ଅନୁରାଗ ।
