ଭାବନା କସ୍ତୁରୀ
ଭାବନା କସ୍ତୁରୀ
ମଲ୍ଲୀଫୁଲିଆ ହିସିଲେ ତମେ ଥରେ
ମନ୍ଦ ମନ୍ଦ ବହେ ସମୀରଣ
ପ୍ରସ୍ତର ଖୋଦିତ ଶ୍ୟାମଳ ଶରୀରେ
ଝରିଯାଏ ଉସ୍ନ ପ୍ରସ୍ରବଣ -୧
ଚମ୍ପାଫୁଲିଆ ଚାହିଁଲେ ତମେ ଥରେ
ଶତ କଦମ୍ବର ସମ୍ମୋହନ
ଯୌବନ ଦୋଳିରେ ମହୁଲି ନିଶାରେ
କାମନା ବାସନା ସିଂହାସନ -୨
କାଞ୍ଚନଫୁଲିଆ ଛୁଇଁଲେ ତମେ ଥରେ
ଅଧର ତୁଠରେ ନିମନ୍ତ୍ରଣ
ବେପଥୁ ହୃଦୟେ ରୋମାଞ୍ଚ ପ୍ରପଞ୍ଚ
ଡେଇଁ ସୀମାରେଖା ବାରଣ -୩
ମନ୍ଦାରଫୁଲିଆ ରାଗିଲେ ତମେ ଥରେ
ତାରୁଣ୍ୟ କାରୁଣ୍ୟ ଲୁହମୟ
ସଂସାର ଲାଗଇ ଅସାର ଧିକ୍କାର ଜହର
ଅସମ୍ଭବ ଲାଗେ -ପ୍ରାଣମୟ -୪
ପଦ୍ମଫୁଲିଆ ଶାଢିରେ ତମେ ଥରେ
ଆଶା ବିଧିକାରେ ଫୁଲବନ
ଚୂର୍ଣ୍ଣ କୁନ୍ତଳକୁ କଲେ କାନ ଉପରକୁ
କୁହୁଳିଯାଏ ପୂର୍ଣ୍ଣମୀ ଜହ୍ନ -୫
ଟଗରଫୁଲିଆ ଦାନ୍ତରେ ତମେ ଥରେ
ମୁରୁକିଲେ ଆଲୋକ ଉତ୍ସବ
ଅନ୍ଧାର ନିଶିଥେ ଗୁପତେ ସୁପତେ
ଖେଳିଯାଏ ଖୁସିର ପ୍ରସ୍ତାବ -୬
ଶେଫାଳିଫୁଲିଆ ରଙ୍ଗରେ ତମେ ଥରେ
ଆଖିରେ ପଲକ ଝଲକ ଲକ୍ଷେ
ତନୁ ବଲ୍ଲରୀ ଡେଇଁ ଫୁଟି ଉଠି ଦିଶୁଥାଏ
ଦେହ ଦେହଳୀର ଭୂଗୋଳ ବକ୍ଷେ -୭
ଗଜରାଫୁଲିଆ କବରୀ ତମ ଥରେ
ଦେଖିଲେ ନୟନ ଟେରାବାଗିଆ
ଗ୍ରୀଷ୍ମପିଡିତ ଶୁଷ୍କପ୍ରାଣେ ଆସିଯାଏ
ନବ କିଶଳୟ କଇଁଫୁଲିଆ -୮
ଗେଣ୍ଡୁଫୁଲିଆ ଚଉରା ତମ ଥରେ
ନିଦର୍ଶନେ ଭକ୍ତିମୟ ଉପାସନା
ସଞ୍ଜ ସଳିତାର ମିଞ୍ଜି ମିଞ୍ଜି ଦ୍ୟୁତି
ଓଢ଼ଣା ଭିତରୁ ଜଳେ ପଦ୍ମବସନା -୯
ସସାଗରା ଧରା ତମେମୟ ପରା
ଶୟନେ ସପନେ ଅବା ଜାଗରଣେ
ପଦ୍ମପତ୍ର ଜଳେ ଖେଳେ କୁତୁହଳେ
ଶରୀର - ଆତ୍ମାର ନିଖୁଣ ଆଚରଣେ -୧୦
ଫୁଲ ପରିକା କଳ୍ପନା ଜୀବନ ବିଥିକା
ମନରେ ଚେତନାରେ ଉତ୍ତରଣ
ସ୍କୃତି ରୋମନ୍ଥନ ଭାବନା କସ୍ତୁରୀ ଆହରଣ
ଖାଲି କଷ୍ଟକୁ ଖୋଲା ଆମନ୍ତ୍ରଣ -୧୧
