ବିବେକ ଦଂଶେ
ବିବେକ ଦଂଶେ
କବିତା - ବିବେକ ଦଂଶେ
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୬-୨୦୨୬
+++++++++++++++
ମନକହେ ଗଢ଼ିବାକୁ
ସ୍ନେହ-ପ୍ରେମର ଝାଟିମାଟି କୁଡିଆ ଘର
ଯହିଁ ଦୟା ତ୍ୟାଗ କ୍ଷମା କରୁଣା ନିରନ୍ତର
ମାତ୍ର କୁଡିଆ ଗଢୁ ଗଢୁ ସବୁ ଗଡ଼ବଡ଼
ସବୁ ଓଲଟ ପାଲଟ ଛୋଟରୁ ମସ୍ତ ବଡ଼
ଭଙ୍ଗାରୂଜା ବି ଅନେକ ଥର ଫଡ଼ ଫଡ଼
ମନରେ ବିବେକ ଦଂଶେ
ନିଜର ଇଛାରେ ସବୁ କିଛି ହୁଏ କି ?
ମନକହେ କାଟିବାକୁ
ସୁଖ ଶାନ୍ତିର ଜୀବନ ଆୟୁଷ
ଯହିଁ ଥିବ ଅଳ୍ପରେ ସନ୍ତୁଷ୍ଟ ଅହର୍ନିଷ
ମାତ୍ର ସୁଖ ସାଉଁଟୁ ସାଉଁଟୁ କଣ୍ଟାର ଦଂଶନ
ମୁନିଆଁ ନଖ ଦ୍ୱାରା କ୍ଷତାକ୍ତ ରକ୍ତାକ୍ତ କ୍ଷୂର୍ଣ୍ଣନ
ଅସହାୟ ଲାଗେ ଜୀବନଟା ନର୍କପୁର ପୂର୍ଣ୍ଣନ
ମନରେ ବିବେକ ବିନ୍ଧେ
ଫଟା କପାଳେ ସବୁ ସୁଖ ଲେଖା ଅଛି କି ?
ମନକହେ ମରିବାକୁ
ତୁମ ହାତ ଧରି ଆହୁଲା ମାରି
ତୁମ କୋଳରେ ମୁଣ୍ଡଗୁଞ୍ଜି କଅଁଳ ଛୁଆ ପରି
ମାତ୍ର ତୁମ ହାତ ପରା ଖସଡ଼ା ବରଫ ପାହାଡ଼
ଧରୁ ଧରୁ ଖସରି ପଡିଲି ଭାଙ୍ଗିଲି ପଞ୍ଜରା ହାଡ
ପେଙ୍କା ହୋଇ ଆଶା ବାଡ଼ି ଧରି ପହଁରୁଛି ଝଡ଼
ମନରେ ବିବେକ ଫନ୍ଦେ
ମରଣ ଡ଼ୋରୀ କାହାରି ହାତରେ ବନ୍ଧା କି ?
ମନକହେ ବାନ୍ଧିବାକୁ
ଇଚ୍ଛାର ସେତୁବନ୍ଧ ପରି ଆତ୍ମସ୍ନାନ
ଯହିଁ ଆକାଶେ ବିଶ୍ୱାସର ଶୁଦ୍ଧ ଅବଗାହନ
ମାତ୍ର ବିଶ୍ୱାସର ବନ୍ଧ ବାନ୍ଧୁ ବାନ୍ଧୁ ଅନେକ ବିଳ୍ପବ
ତୁଣ୍ଡ ମୁଣ୍ଡର ସଙ୍ଗମରେ ସୃଷ୍ଟ ବିରୋଧୀ ମେଳି ପୁଙ୍ଗବ
ତୁଣ୍ଡ ବାଇଦର ଡେଙ୍ଗୁରା ବଜେଇ ସଜେଇବେ ମାଧବ
ମନରେ ବିବେକ ଧନ୍ଦେ
ବନ୍ଧ ନିର୍ମାଣ ପରା କାହାରି ନିର୍ଦ୍ଦେଶ ମାନେ କି ?
