ଆପଣ ଅଛନ୍ତି
ଆପଣ ଅଛନ୍ତି
କବିତା - ଆପଣ ଅଛନ୍ତି
ରଚନା - ପାଞ୍ଚାନନ ଜେନା
ତାରିଖ -୨୫-୦୬-୨୦୨୬
++++++++++++++
ହଁ ଭାଇ ହଁ
ଆପଣ ଅଛନ୍ତି ବୋଲି ଉତ୍ତରଣ
ଗଗନେ ପବନେ ନୀରବ ଗୁଞ୍ଜରଣ
ହୁଁ ହାଁ ରେ ଧରା ଧରଣୀ ଝଣ ଝଣ ଭଣ ଭଣ
ସୁଁ ସାଁ ରେ ଆଖି କୋଣରୁ ଟପ୍ ଟପ୍ ଶ୍ରାବଣ
ହଁ ଭାଇ ହଁ
ଆପଣ ଅଛନ୍ତି ଏଇଠି କଉଁଠି
ଓଁକାର ଧ୍ଵନି ପ୍ରତିଧ୍ଵନି ଯଉଁଠି
ଶବ୍ଦ- ବ୍ରହ୍ମରେ ସଜ୍ଜିତ ପଦ୍ମାସନ ବି ଯଉଁଠି
ଭାବ ଛଳଛଳ ନୀରବତାର ନାଭିକେନ୍ଦ୍ର ବି ଯଉଁଠି
ହଁ ଭାଇ ହଁ
ଆପଣ ନିଶ୍ଚିତ ଅଛନ୍ତି ଆଖ ପାଖରେ ସେଇଠି
ଅପାର୍ଥିବ ଓ ଅତି ପାର୍ଥିବ କବିତାଗୁଚ୍ଛ ପାଖରେ କେଉଁଠି
ବୋଧ୍ୟ- ଅବୋଧ୍ୟ ତଥା ଅବାଧ୍ୟ ଶବ୍ଦ ପଟୁଆର ପାଖରେ କେଉଁଠି
ସାଧାପୃଷ୍ଠାରେ ଗୁରୁଗମ୍ଭୀର ଶବ୍ଦ ବାଣରେ ସଜ୍ଜିତ
ବାଣୀ ତୃଣୀର ପାଖରେ କେଉଁଠି
ହଁ ଭାଇ ହଁ
ଆପଣ ନିଶ୍ଚିତ ଅଛନ୍ତି ଅତି ନିକଟରେ ସବୁଠି
ଧୂମ୍ର କୁଣ୍ଡଳୀ ଘେରା ଶୀତଋତୁଟା କେତେ ଚମତ୍କାର ସୃଷ୍ଟି
ଲାଜକୁଳି ତରୁଣୀର ମୁଗ୍ଧ ପ୍ରତୀକ୍ଷା କେତେ ବ୍ୟାକୁଳିତ ସନ୍ତୁଷ୍ଟି
ଡେମ୍ପରେ ଝଟକୁ ଥିବା ଫୁଲକଢ଼ରେ କେତେ ସ୍ପର୍ଶାତୁର ଦୃଷ୍ଟି
ହଁ ଭାଇ ହଁ
ଆପଣ ନିଶ୍ଚିତ ଅଛନ୍ତି ବୋଲି ସାର୍ଥକତା
ଭାବପ୍ରବଣତାର ଛତ୍ରେ ଛତ୍ରେ ଫୁଟେ କବିତା
ଚଣ୍ଡିପାଠ ପରି ଅନର୍ଗଳ ଶୁଭେ ଶବ୍ଦଲତା
ଯମା ନିର୍ମୁଳି ନୁହଁ
ଶୂନ୍ୟ ବ୍ରହ୍ମରେ ବିଲୀନ ହେଲା ପରେ ବି
ପ୍ରତ୍ୟେକ ବହି ଦୋକାନରେ
ପ୍ରତ୍ୟେକ କବିତା ଆସରରେ
ପ୍ରତ୍ୟେକ କଲେଜ କ୍ଲାସରେ
ପ୍ରତ୍ୟେକ ବିପ୍ଳବୀର ବହ୍ନୀ ଚେତନାରେ
ପ୍ରତ୍ୟେକ ପ୍ରେମୀକର ଭାବ ଉଚ୍ଛ୍ଵାସରେ
ମୁରୁକି ହସୁ ହସୁ ଝରିପଡ଼େ କେତେ କେତେ ଶଦ୍ଧ ବନୀତା
ପୁଣି ଡଙ୍କେଇ ବଙ୍କେଇ ସୃଷ୍ଟି କରିପାରେ ନୂଆ ସୃଜନତା
