ବେଙ୍ଗ ବେଙ୍ଗୁଲୀ
ବେଙ୍ଗ ବେଙ୍ଗୁଲୀ
ବେଙ୍ଗ ଓ ବେଙ୍ଗୁଲୀ ଗାଆଁ ସାରା ବୁଲି
ପୋଖରୀ ହିଡରେ ଠିଆ
ଯେତେ ବି ଦେଖିଲେ କୋଉଠି ନ ମିଳେ
ସାରୁ ଗଛଟିଏ କିଆଁ ।
ବେଙ୍ଗୁଲୀର ମୁଖ ଚାହିଁ ଦେଇ ଦୁଃଖ
ବେଙ୍ଗ ବି ପାରିଲା ଜାଣି
ଦେଖାଇ ତର୍ଜନୀ କହିଲା ସଜନୀ
ଏଠି ତ ଅଳପ ପାଣି ।
ଅମରଯାଇ ବି କୋଉଠୁ ପାଇବି
ବିପରୀତ ହେଲା କାଳ
ବାଡିରେ ସଜାଡି ସେହି ସବୁ ଝାଡି
ଶୁଖାଇ କଲେଣି ଜାଳ ।
ମଣିଷ ନିର୍ଜୀବ କୁଆଡୁ ବୁଝିବ
ଜୀଅନ୍ତା ମୁର୍ଦ୍ଦାର ସେହି
କିସ ଅବା ତାର ଯାଏ ଆସେ ଛାର
ଜୀବ ଏ ନଥିଲେ କେହି ।
ସବୁ ଜାଣି ଜାଣି ନେଲେଣି ତ ହାଣି
ଥିଲା ଯେତେ ଗଛଲତା
ସାରୁ ଗଛ ତଳ ଜାଣିଛେ ଶୀତଳ
କୁଆଡେ ଯିବା ଗୋ ବତା ।
ସେ ରଙ୍ଗଭୁବନ ଆମ ମଧୁବନ
ପ୍ରମୋଦ ବିହାର ପାଇଁ
ଗରମ ବତାସ କଲାଣି ହତାଶ
ଉପାୟ ବି ଦିଶୁ ନାଇଁ ।
କୂଅ ତଡାଗରୁ ପାଣି ତ ଆଗରୁ
ଗଲାଣି ପାତାଳ ତଳେ
ଦୁର୍ଦ୍ଦଶା ଏମିତି ସହିବା କେମିତି
ଅକାଳେ ମରିବେ ଶଳେ ।
କରନା ଗୋ ମନା ଯୁଆଡେ ବି ଅନା
ବିପଦ ଦିଶଇ ଡୋଳେ
ଚାଲ ଲୋ ସଜନୀ କାଟିବା ରଜନୀ
ବୁଢା ବରଗଛ କୋଳେ ।
ପ୍ରସନ୍ନ କୁମାର ମାଦଳା
