ବଦଳି ଯାଇଛି କି କବିର ସଂଜ୍ଞା?
ବଦଳି ଯାଇଛି କି କବିର ସଂଜ୍ଞା?
ଅନେକ ଦିନର ପ୍ରତୀକ୍ଷା ପରେ କବିତାରେ ହୋଇଲା ମୋ ପ୍ରୀତି
ତାହାର ମିଠାରେ ଲାଘବ ହୋଇଛି ମୋ
ପ୍ରଚଣ୍ଡ ଇଚ୍ଛାର ତାତି ।
ଭାବୁଛି ମୁହିଁ, କାହିଁ ଥିଲା ଏହି ବାରିଦ
ଆକାଶୁ ଆସିଲା ଝରି
ବୈଶାଖ ମାସର ପହିଲି ବର୍ଷା ପରି,
ମନ ଆନନ୍ଦେ ଗଲା ଭରି ।
କବିର କଲମରୁ ଛୁଟି ଯାଉଥାଏ
ସମାଜ ପାଇଁ କଲ୍ୟାଣ ବାର୍ତ୍ତା,
କବିର ହୃଦୟ ସରଳତାରେ ପ୍ରେମାୟିତ
ଦିଏ ଦେଶ ଗଠନ କଥା ।
କବିଟିଏ ଦେଶପ୍ରୀତି କବିତା ଛୁଆଁରେ
ମହକି ଥାଏ ଦେଶର ମାଟି
ଦେଶପ୍ରେମେ ଉଦବୋଧିତ ହୋଇ ଦେଶ
ସ୍ୱାର୍ଥେ ଖୁସିରେ ଯାଆନ୍ତି ଲୁଟି ।
କବିଟିଏ ତା'ର କବିତାର ଛନ୍ଦେ ପର୍ବତ
ଶିଖରେ ବୁହାଇଥାଏ ଝରଣା,
କବିଟିଏ ହୋଇ ଚେଇଁ ଶୋଇଥିବା ଜନ
ଗଣରେ ଭରି ଦିଅଇ ପ୍ରେରଣା ।
କବି ସର୍ବଦା କବିତା କଲମ ତୂଳୀରେ
ଲେଖଇ ମଣିଷ ଜୀବନ ଝର,
କବି ଚକ୍ଷୁ ଦେଖେ ଭାଇଚାରା ଭାବ, ତେଣୁ
ତ କବି ଦ୍ଵିତୀୟ ଈଶ୍ୱର।
ଦେଖେ ବଦଳିଛି ରୂପରେଖ କବି ହୃଦୟରେ
ନାହିଁ ସ୍ନେହ, ଶ୍ରଦ୍ଧା, ପ୍ରୀତି
ମୁଁ ର ପ୍ରଭାବେ ଆମ ଶବ୍ଦଟି ହୋଇଲାଣି
ଲୀନ, ନାହିଁ ଆଉ ମୈତ୍ରୀ ଗୀତି ।
ସମ୍ମୁଖରେ ଶୁଦ୍ଧ ପୂତ ସରଳ ବ୍ୟବହାର,
କରନ୍ତି ପ୍ରଶଂସା ବଡ ଆଶ୍ଵାସନା
ନେତ୍ର ଅଢୁଆଳେ କିନ୍ତୁ ମନଟା ମଇଳାପୂର୍ଣ୍ନ
ଥାଏ ଖାଲି ମିଥ୍ୟା ପ୍ରପଞ୍ଚନା ।
ସୁଖ ବୋଲି ଯାହା ଭାବୁଥିଲି, ବିକୃତ ଚିନ୍ତାକୁ
ଦେଖି, ଆକାଶ କୁସୁମ ତାହା
ଯାହା ଦେଖୁଅଛି ସାହିତ୍ୟେ, ଅସତ୍ୟରେ ଭାଇ,
ସତ୍ୟକୁ ଖୋଜୁଛୁ କିଆଁ ।
ଗ୍ରହଣ କରି ଅଛେ ଗଣତନ୍ତ୍ର ଶାସନ,ଏଠି
ଜଣେ ତ ଚାବି ମୋଡ଼ିଥାଏ
ନାମ ଗଣତନ୍ତ୍ର, ସ୍ଵାର୍ଥରେ ଶାସକ, କୁଢ଼
କୁଢ଼ ଶବ ପରେ ଚଢିଥାଏ ।
କବିର ସଂଜ୍ଞା ମୁଁ ଏଠି ଯାହା ଦେଖୁଛି,
ମନ ମଧ୍ୟରେ ଦୁଃଖ ଦିଏ
ମାନପତ୍ର ଦେବେ, କବି ସଂସ୍ଥା ନାମ କହି,
କବିଙ୍କୁ ଯୋଡାଯାଏ ।
ଚୋର ତସ୍କର ଗୋଡାଣିଆ ହୋଇ ଜଣେ
ମନ୍ତ୍ରୀ, ରାଷ୍ଟ୍ରପତି ଯଦି ହୁଏ
କେତେ ମଣିଷ କବି ବୋଲି କହି ନଥିବା
ଗୁଣକୁ ନିଜ କବିତାରେ ଗାଏ ।
କବି ଗୁରୁ, କବି ସୃଷ୍ଟିର ସମ୍ଭାର, ଅଜ୍ଞାନ
ଦୂର କରିବା ତାହାର ଧରମ
କୁହ ପାଉଛେ କିଏ କି ସେ କବି ସମାଜ
ହିତ ଭାବଇ ତା'ର ଶ୍ରେଷ୍ଠ କରମ ।
