ବୈଠକଖାନାରେ ମରିଯାଉଥିବା ଗୋଲାପ
ବୈଠକଖାନାରେ ମରିଯାଉଥିବା ଗୋଲାପ
ଗୋଲାପ
ତୋ ରଙ୍ଗ ଗଲା ହଜି
ତୋ ରୂପ ଗଲା ହଜି
ନଇଁ ଗଲୁ ତୁ
ତୋ ମୁହଁ ଗଲା ଝାଉଁଳି
ତୁ ହେଲୁ ବାଉଳି।
ତୋତେ ଦେଖି ଏପରି
ମୋ ମନ ଗଲା ଡରି
ଏତେ ଭୟଙ୍କର ଭାବେ
ଫୁଲ ବି ଯାଏ ମରି!
ସୁନ୍ଦର ଫୁଲଦାନୀରେ
ସୁସଜ୍ଜିତ ବଖରାରେ
ତୁ ଯେବେ
ଆସିଥିଲୁ ଋତୁ-ରାଜ ରାଜଦୂତ ହୋଇ
କେତେ ମନ ନେଇଥିଲୁ ମୋହି
ରଙ୍ଗ-ରୂପ, ରସ-ଗନ୍ଧ ପ୍ରଚ୍ଛନ୍ନତା
କ୍ଷଣକ ସକାଶେ
ପାଖୁଡ଼ାର ପରସ୍ତରେ
ଯେପରି ଅମରତ୍ବର ନିବିଡ଼ତା!
ଦେଇପାରେ କେତେ ବଡ ଘାତ - କୃତ୍ରିମତା !
ତୁ ଆକାଶର ତଳେ ଯଦି କରନ୍ତୁ ଶୟନ
ଶିଶିର ବୁନ୍ଦା କରନ୍ତୁ ମୁଖେ ପ୍ରକ୍ଷାଳନ
ଶିରିଶିରି ପବନରେ ଯାଆନ୍ତୁ ତୁ ଝରି
ପାଖୁଡା ପାଖୁଡା ପଡି ଯାଆନ୍ତୁ ବିସ୍ତରି
ଧରିତ୍ରୀ ମାଆର କୋଳ ଆବୋରି
ପ୍ରକୃତିରେ ମଧ୍ୟ ଅଛି ସୁନ୍ଦରତା ଭରି।
ମୂଳ ରଚନା : ହରିବଂଶରାୟ ବଚ୍ଚନ
