ବାରହାତ କାକୁଡିର ତେରହାତ ମଞ୍ଜି
ବାରହାତ କାକୁଡିର ତେରହାତ ମଞ୍ଜି
ବାରହାତ କାକୁଡ଼ିର ତେରହାତ ମଞ୍ଜି,
ମନେ ମନେ ସୁନ୍ଦର ତ ସାର୍ଟ ପରେ ଗଞ୍ଜି ।
କୁକୁଡ଼ାର ବାହାରିଛି ଚାଖଣ୍ଡେକ ଚୂଳ,
ସୁନା ବୋଲି ପିତଳକୁ ଖାଣ୍ଟି କୋଉ ଦଳ ।
ଆକାଶରେ ଉଡୁଥିଲା ଯାଦୁକରୀ ଖଟ,
ଚୁଡ଼ା ଗୁଡ଼ ସାକ୍ଷୀ ଅଛି ମାଲୁଆଙ୍କ ନାଟ ।
ବହି ନାଆଁ ଶୁଣିଦେଲେ ପାଠ ହେବ ଛାଆଁ,
ସ୍ନେହ ଛଡ଼ା ଭଜୁଛନ୍ତି ଶାନ୍ତି ଅଛି ଗାଆଁ ।
ଋଣ କରି ଘିଅ ମହୁ ଭାସି ବଡ଼ ଲୋକ,
ଖଟିଖିଆ ଛୋଟ ବୋଲି ବାରି ହୁଏ ନାକ ।
ବାମନର ହାତଛୁଆଁ ସରଗର ଚାନ୍ଦ,
ଖନା ଗଳା ଭାରି ମିଠା ଚଉପଦୀ ଛାନ୍ଦ ।
ଖୁଦ କଣା ଆହା ସରୁ ବାସୁମତୀ ଉଆ,
ଅଣି ଚଣା ଭଲ ଡାଲି ହେଉ ପୋକ ଖିଆ ।
ହରିଣର ବେନି ଆଖି ଉପମାକୁ କାଣୀ,
ଓଲୁ ପୁଣି ପଣ୍ଡିତଙ୍କୁ ପିଆଉଛି ପାଣି ।
ତିନି ତୁଣ୍ଡେ ଛାଗଳଟା ବନିଯାଏ ଶ୍ବାନ,
ସୋରିଷର ଛୁଙ୍କ ବଡ଼, ଜୀରା ଛୁଙ୍କ ସାନ ।
ଦୁବଘାସ ବଡ଼ ଗଛ, ଆଖି ଥାଇ ଅନ୍ଧ
ମଳ ଯାହା ଚନ୍ଦନଠୁ ଭୁରୁ ଭୁରୁ ଗନ୍ଧ ।
