ବାରାଙ୍ଗନା
ବାରାଙ୍ଗନା
ପୁରାଙ୍ଗନା ଅବା ବାରାଙ୍ଗନା ନାମେ
ସଜେଇ ଦେଇଛି ଏ' ମଣିଷ ଜାତି ,
ଧନ୍ୟ ସରକାର ଧନ୍ୟରେ ମଣିଷ
ଆଉ କିଛି ଦିବସ ଅଛି କି ବାକି ?
ତା ' ଜୀବନ ଦୁଃଖ କେହି କେତେବେଳେ
ଥରଟେ ଭାବନ୍ତ ଯଦିରେ ବସି ,
ଏଭଳି ଦିବସ ପାଳନ ନକରି
ପୂଜାରିଣୀ ଭାବି ହୁଅନ୍ତ ଖୁସି ।
ବାରାଙ୍ଗନା ବୋଲି ଉପାଧି ଦେଇଛ
ହସି ହସି ସ୍ଵିକାରିଛି ସେ ନାରୀ ,
ଘାଟ ପୂଜା ଠାରୁ ଦୁର୍ଗା ପୂଜା ଯାଏଁ
ତା' ଘରର ମାଟି ଅତି ଜରୁରୀ ।
ମାଟି ଯଦି ପୁଣ୍ୟ ପବିତ୍ର ହୋଇଲା
ସେ' କାହିଁ ପାପିନୀ ଆଖ୍ୟା ପାଇଲା ,
ଇଚ୍ଛା ହେଉ କି ଅସୂୟାରେ ହେଉ
ବେଶ୍ୟା ବୋଲି ଡାକ ନାମ ରହିଲା ।
ଦେହର କ୍ଷୁଧା କୁ ମେଣ୍ଟାଇବା ପାଇଁ
ପୁରୁଷ ତ ଧାଏଁ ବେଶ୍ୟା ଘରକୁ ,
ତା' ଅଗଣା ମାଟି ପବିତ୍ର ହୋଇଲେ
କଳଙ୍କିତ କିଏ କଲା ତାହାକୁ ?
ଧୋବା ଯଦି ଆମ ଲୁଗା କାଚି ଦିଏ
ସେ ଲୁଗା ପବିତ୍ର ବୋଲି ଜାଣିବା ,
ମା ଦୁର୍ଗା ସମ୍ପୂର୍ଣ୍ଣ ଗଣିକା ମାଟିକୁ
ବାରାଙ୍ଗନା ବୋଲି କାହିଁ ମଣିବା ?
ଜନନୀ , ଭଗିନୀ , ସୋହାଗିନୀ ଭାବି
ଟିକିଏ ସ୍ନେହରେ ହାତ ବଢ଼େଇ ,
ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିକି
ସୁପଥେ ନେବାନି କିଆଁ କଢ଼େଇ ।