ବାପା
ବାପା
ବାପା ତୁମ କଥା ଯେବେ ମନେ ପଡ଼େ
ଆଖିରେ ଲୋତକ ଆସେ
ମନେ ପଡିଯାଏ ପୁଣି ସେ ଅତୀତ
ଛବି ଭଳି ସବୁ ଦିଶେ ।
ତୁମ ହାତ ଧରି ଚାଲିବା ଶିଖିଛି
ବୁଲାଇଛ କାନ୍ଧେ କେତେ
ମୋ ଅଳି ଅଝଟ ସବୁତ ସହିଛ
ଖୁଆଇଛ ନିଜ ହାତେ ।
ବଜାର ବୁଲାଇ ନେଇଛ ସାଥିରେ
ଖେଳଣା କିଣ ମୋ ପାଇଁ
ଯୋଉଠି ଥିଲେବି ତୁମ ଆଖି ଦୁଇ
ଥାଏ ମୋ ପାଖରେ ରହି ।
ସାଙ୍ଗସାଥୀ ସହ ଖେଳିବାକୁ ଗଲେ
ଜଗି ରୁହ ମୋତେ ଚାହିଁ
ଡେରି ହେଲେ ମୋତେ ଗାଳିଦିଅ କିନ୍ତୁ
ସ୍ନେହ ଥାଏ ମୋ ପାଇଁ ।
ଛାଡିବାକୁ ନିଅ ମୋତେ ବିଦ୍ୟାଳୟ
ଆଣିବାକୁ ଯାଅ ପୁଣି
ପଚାର ଯେ ଗୁରୁ କ'ଣ ପଢ଼ାଇଲେ
ପାଠ ପାରିଲୁନା ଜାଣି ।
ସକାଳ ସଞ୍ଜରେ ଯେତେ କାମ ଥାଉ
ସବୁକିଛି ପଛ କରି
ପାଖରେ ବସାଇ ପଢ଼ାଇ ଦିଅନ୍ତି
ବୁଝାନ୍ତି ସେ ହାତ ଧରି ।
ପିଲାବେଳେ କେବେ କେବେ ମାରିଥାଅ
ବାଳୁଙ୍ଗାମି ଯେବେ କରେ
ମୁଣ୍ଡକୁ ଆଉଁସି ବୁଝାଇ କୁହନ୍ତି
ଯାଆତୁ ଠିକ୍ ରାସ୍ତାରେ ।
ଯେତେ ବୃଦ୍ଧ ହେଲେ ବସିଥା'ନ୍ତି ଯଦି
ବାପା ଅଗଣାରେ ଚାହିଁ
ପିଲାଙ୍କର ବଳ ସାହାସ ସେପରି
ଥାଏରେ ଅକ୍ଷୁର୍ଣ୍ଣ ରହି ।
ବା ଓ ପା ଦୁଇଟି ଅକ୍ଷର ବାୟୁ ଓ
ପାଣିକୁ ସୂଚାଇ ଥାଏ
ଏ ଦୁଇଟି ବିନା ବଞ୍ଚିତ ହୁଏନା
ବୁଝେ ପିତୃ ଶୁନ୍ୟ ଯିଏ ।
ବାପା ଅବା ମାଆ ଏ ଦୁହିଁଙ୍କୁ କେବେ
ବୋଝ ବୋଲି ଭାବ ନାହିଁ
ବାପା ଥିଲେ ପିଲା ସଭାରେ ହାରେନି
ଭଗବାନ ଆମ ପାଇଁ ।