ବାପା ଗୋସେଇଁ
ବାପା ଗୋସେଇଁ
ନାତିଆ ବବୁଲୁ ଚଗଲାଙ୍କ ଗୁରୁ
ପାଠେ ଦିଏ ନାହିଁ ମନ
ଖୁପୁରୁ ଖାପୁର ସାଙ୍ଗ ସାଥି ସଙ୍ଗେ
ଦୁଷ୍ଟ ବଡ଼ ସଇତାନ ।
ଚାଲିଲା ଶଗଡେ ମାରି ଦେଇ ହାତ
ବସିପଡେ ହୋଇ ସାଧୁ
ଖୋଜୁଥିବେ ସବୁ ଗାଲମାଧବକୁ
ଚେଇଁ ଶୋଇଥିବ ବାବୁ ।
ପାଟିରେ ବାଟୁଳି ବାଜେ ନାହିଁ ତାର
କଥା କହେ ଭଡ ଭଡ
ସିଏ ସର୍ବଜ୍ଞାତା ସମସ୍ତେ ଅଜ୍ଞାନ
ସିଏ ସାର ମୁଣ୍ଡି ବଡ଼ ।
ଦେଖି ବାଚାଳତା ଘୂରିଗଲା ମଥା
କହିଲେ ଜେଜେ ତାହାକୁ
ବିରାଡ଼ି ବୈଷ୍ଣବ ଦେଖୁଛୁ ଏ ବାଡ଼ି
ସିଧା କରିବି ପିଠିକୁ ।
ଅଣ୍ଡା ପେଚି ଟିଏ ଫିଟି ନାହିଁ ଲସି
ଦେଖାଉଛୁ ଭାରି ଚୋପ
ଚିହ୍ନିଅଛୁ ମୋତେ କିଏ ମୁଁ ଅଟେ
ତୋ ଗୋସେଇଁ ବାପର ବାପ ।
ଦୁଷ୍ଟାମୀ ଠକାମୀ କରି ବଦମାସୀ
ଜିତି ପାରିବୁନି ଗଡ଼
ଇଚ୍ଛା ଯଦି ଅଛି ମଣିଷ ହେବାକୁ
ମନ ଲଗାଇ ତୁ ପଢ ।
ପଢ଼ିବୁ ଶୁଣିବୁ କହିବୁ ଲେଖିବୁ
ଭଲକଥା ଅଭ୍ୟାସିବୁ
ଯଥା ସମୟରେ କାର୍ଯ୍ୟ ଯଥାଯୁକ୍ତ
ଉଦ୍ୟମ ନିତ୍ୟ କରିବୁ ।
ସୁବ୍ୟବହାର ସୁବ୍ୟବସ୍ଥିତ
ପିଲା ହୁଅଇ ଉତ୍ତମ
ଗୁରୁଜନ ମାନ୍ୟ ସାଥି ବନ୍ଧୁ ସ୍ନେହ
ଆଚର ସହିଷ୍ଣ ଗୁଣ ।
ବାସଇ ତୁଳସୀ ଦୁଇପତରରୁ
ପୂଜା ପାଏ ଘରେ ଘରେ
ତାହାର ସଂସ୍ପର୍ଶ ଗନ୍ଧ ସେବା ବାସ
ଲାଗେ ପର ଉପକାରେ ।
ହେଲେ ବିଛୁଆତି ମୂଳ ଯାଏ କଟି
ଦୁର୍ଜନକୁ ଦୂରମାର୍
ମାନିଲେ ଠାକୁର ନତୁବା ପାହାର
କ'ଣ ତୋର ଦରକାର ।
କହିଲା ବବୁଲୁ ଜୁହାର ସାଆନ୍ତ
ନେଉଛି ଆଜି ଶପଥ
ହେବି ଭଲ ପିଲା କାୟମନୋବାକ୍ୟେ
ବଚନ କହିବି ସତ ।
-----------------
