ବାଇ ଚଢେ଼ଇ
ବାଇ ଚଢେ଼ଇ
ବାଇ ଚଢେ଼ଇଟି ବସା ବାନ୍ଧିଥିଲା ଯେମିତି ବାନା
ମନ ଗହନରେ ଉଙ୍କି ମାରୁଥିଲା କେତେ ଭାବନା।
ପବନ ମାଡ଼ରେ ଦୋହଲୁଥିଲା ସେ ଯେମିତି ଦୋଳି
ଖାତିର ନାହିଁ ତା' ଝଡ଼ ବତାସକୁ ନୁହେଁ ବାଉଳି।
କୋଟି ଧନ୍ଯବାଦ ଦେଉଥିଲା ସିଏ ଈଷ୍ଟଙ୍କ ପାଇଁ
ପ୍ରଣାମ କରି ସେ ଦେହ ଓ ମନକୁ ଖୁସିରେ ଥାଇ।
ତା'ର ଘର ତୋଳା ଇଞ୍ଜିନିୟର ବି ହାର ମାନିବ
ଯୋଜନା ଯେତେକ ଯିଏ କରୁଥାନ୍ତୁ ତା'ପରି ଭାବ?
କୋଟି ପୁଣ୍ଯବଳେ ଜନମ ହୋଇଛି ଏହି କୁଳରେ
ପୂରୁବ ଜନମେ ଭଲ କରମ ହିଁ କରିଛି ବାରେ।
ଖାତିର ନାହିଁ ତା' ନର ପଶୁ ପକ୍ଷୀ ସାପର ଭୟ
ଖାଇବା ପିଇବା ହୋଇଗଲେ ସଦା ଈଷ୍ଟଙ୍କୁ ଲୟ।
କାଳର ଗରଭେ ଭିନ୍ନ ସେ ହୋଇବ ଅନ୍ଯଥା ନାହିଁ
ଭୟ କେ' ଦେଖେଇ ମାରିବାକୁ ତାକୁ ଆସିବ କାହିଁ?
ଜନମ ହୋଇଛି ମୋତେ ଜଣା ନାହିଁ ଏହି ସଂସାରେ
ବସାରେ ବସିକି ନିଇତି ଗାଉଛି ଗୀତ ଖୁସିରେ।
ଏହି ଗୀତ ଶୁଣି ଧରମ ପତ୍ନୀ ତା' କହିଲା ସ୍ବାମୀ
ବଡ଼ ଭାଗ୍ଯବାନ ଆମ ଏହି ଦେଶ ଭାରତ ଭୂମି।
ଆମ ଜାତିଭାଇ ଆମ ପରି ସୁଖୀ ନିଶ୍ଚୟ ଥିବେ
ଦୁଇ ଦମ୍ପତିଙ୍କ କଥା ଶୁଣୁଥିଲେ ଈଶ୍ବର ଭବେ।
