"ବାଃ,କି ଚମତ୍କାର ଅଭିନୟ"
"ବାଃ,କି ଚମତ୍କାର ଅଭିନୟ"
ପେଣ୍ଡାଲ ଉପରେ ନିଖୁଣ ଭାବରେ
ଚମତ୍କାର ଅଭିନୟ
ମାଆକୁ ସ୍ନେହରେ ପୋତି ପକାଉଛ
ଆଖିରୁ ଝରାଇ ଲୁହ ।
ଦର୍ଶକ ମାନଙ୍କ ଅନ୍ତର କାନ୍ଦଇ
ତୁମରି ଅଭିନୟରେ
କେତେ ବାଃ ବାଃ କେତେ ପରଶଂସା
ଗୋଟାଉ ଅଛ ରାତିରେ ।
ମନ ଫୁଲି ଯାଇ ମୋଟ ହୋଇଯାଏ
କଲର ଟେକିକି ଚାଲ
ମୋ ପରି ହିରୋ ଆଉ କେହି ନାହିଁ
ଜନତା ପାଆନ୍ତି ଭଲ ।
ଭିତିର କଥାକୁ କିଏ ବା ଦେଖୁଛି
ନିଜ ପରିବାର କାହାଣୀ
ମାଆ ବାର ଘରେ ପାଇଟି କରୁଛି
ପେଟ ପୁରାଇବ ବୋଲି ।
ବାପ କାହା ଘରେ ବୋଲ କରୁଅଛି
କେଇଟା ପଇସା ପାଇଁ
ବୁଢ଼ା ବୁଢ଼ୀ ପୁଣି ବଞ୍ଚିକି ରହିବେ
ଶେଷ ସମୟର ପାଇଁ ।
ପୁଅ କାଢୁଅଛି ହିରୋଗିରି ପୁଣି
ବାପ ମାଆ ପର କରି
ଘରଣୀକୁ ନେଇ ଅଲଗା ରହୁଛି
ନିଶରେ ହାତକୁ ମାରି ।
ଏଇ ହେଉଛନ୍ତି ସେଇ ପୁଅ ପରା
ଗର୍ଭେ ଧରିଥିଲା ମାଆ
ମଲାବେଳେ ପୁଅ ମୁହେଁ ନିଆଁ ଦେବ
ବୃଦ୍ଧ ବେଳେ ଦେବ ରାହା ।
ଆଗରେ କି ରୂପ ପଛରେ କି ରୂପ
ଜନତା ଜାଣନ୍ତି ପରେ
ହେଲେ ମନ ମଧ୍ୟେ ଅନୁତାପ କରି
ରହିଯାନ୍ତି ଯେଝା ଘରେ ।
ଆମେ ସେହିପରି ଲେଖନୀ ଚଳାଉ
ସମାଜ ମଙ୍ଗଳ ପାଇଁ
ବାପା ମାଆ ଉପରେ କବିତା ଝାଡୁଛେ
ଟେକୁଛେ ଶିଢି ଲଗାଇ ।
ହେଲେ ପ୍ରକୃତରେ ନିଜ ପିତା ମାତା
ଅବହେଳା ହେଉଛନ୍ତି କି
ଯଦି ହେଉଥିବେ ଧିକ ଏ ଲେଖନୀ
ଲେଖିବା ବାହାନା ନୁହେଁ କି ?
ଲେଖୁଛେ କିପରି କରୁଛେ ଓଲଟା
ଏଇଟା କି କବି ପରିଚୟ
ହାତ ଯୋଡ଼ି ବନ୍ଧୁ ଗୁହାରି କରୁଛି
ନ କର ଏପରି ଅଭିନୟ !
ବାପା ମାଆ ଆମ ଈଶ୍ବର ଅଟନ୍ତି
ତାଙ୍କ ଯୋଗୁଁ ଆଜି କବି ଆମେ
ତାଙ୍କ ଆଶିର୍ବାଦ ସଦା ରହିଅଛି
ଲେଖନୀ ଚାଲୁଛି ତାଙ୍କ ନାମେ ।
ଯଦି ବନ୍ଧୁ କେହି ଅପଥରେ ଯାଇ
ପିତା ମାତା କର ହତାଦର
ତୁମଠାରୁ ଦୋଷୀ କେହି ବି ନ ଥିବେ
ଧିକ ତୁମେ ଅଟ କବି ବର ।
ଲେଖନୀ କରୁଛି ସତ ଅଭିନୟ
ନିଜେ ଯାଉଅଛ କୁପଥରେ
ସମାଜକୁ କି ଶିକ୍ଷା ଦେବା ଆମେ
ମଇଳା ପୁରାଇ ଏ ପେଟରେ ?
ସତ ପୁତ୍ର ସେହି ପିତା ମାତା ଚାହିଁ
କରୁଅଛି ନିଜର କର୍ତ୍ତବ୍ୟ
ଜୀବନ ସଫଳ ହୋଇବ ନିଶ୍ଚୟ
ନ ରହିବ ମନରେ ସଂଶୟ ।