ଅତୀତର ସ୍ମୃତି
ଅତୀତର ସ୍ମୃତି
କୁଳୁ କୁଳୁ ନାଦେ ମୋ ଗାଆଁର ପାଶେ
ଦେବୀ ନଦୀ ଯାଏ ବହି
ବାଲ୍ୟ କୈଶୋରର ଜୀବନସାଥି ମୋ
ଭୁଲି ମୁଁ ପାରଇ ନାହିଁ।
ବାର ହାତ ଡଙ୍ଗା ତେର ହାତ କାତ
ଏ କୂଳ ସେ କୂଳ ଯାଇ
କେତେ ଭଲ ମନ୍ଦ ଜିନିଷକୁ ରଖି
ପାରି କରିଥାଏ ନେଇ।
ସାଙ୍ଗ ସାଥି ଧରି ଆନନ୍ଦେ ପହଁରି
ସରଗାରେ ଆସୁ ଧାଇଁ
ନଦୀକୁ ଦେଖିଲେ ଆସେ ସେହି ସ୍ମୃତି
ହୃଦୟକୁ ଯାଏ ଛୁଇଁ।
ହଜି ଯାଇଛି ମୋ ସେଇ ପିଲାଦିନ
ତା ଠାରୁ ଦୂରରେ ରହି
କୈଶୋର ଯୌବନ ଅତିକ୍ରାନ୍ତ ଆଜି
ପଶ୍ଚିମ ଆସୁଛି ବହି।
ବର୍ଷ ମାସ ଦିନ ଦଣ୍ଡ ଗଡୁ ଥିବ
ନ ରହିବି ମରତ ରେ
ଥିବା ଯାଏ ସେହି ସ୍ମୃତି ନ ଭୁଲିବି
ଅନନ୍ତ ସ୍ରୋତ ମନରେ।