ଅତୀତ କି ଫେରେ
ଅତୀତ କି ଫେରେ
ନଇଁ ଆସେ ସଞ୍ଜ ରାତିର ଅନ୍ଧାର
ସୁନେଲି କିରଣ ଝରେ
କୁଳୁକୁଳୁ ତାନେ ବହିଯାଏ ନଈ
ପାହାଡୁ ଝରଣା ବହେ ।
ଫୁଟଇ ଗଛରେ ରଙ୍ଗ ରଙ୍ଗ ଫୁଲ
ବିତରି ଯାଏ ସୁବାସ
ଆସଇ ମୌସୁମୀ ବରଷାକୁ ନେଇ
ଗ୍ରୀଷ୍ମ ତାପ କରେ ନାଶ ।
କଅଁଳି ଉଠଇ ଦୁର୍ବାଦଳ ଶ୍ୟାମ
ପଲ୍ଲବଇ ତରୁଶାଖା
ବହିଲେ ମଳୟ ବାସଇ ବଉଳ
କୋକିଳର ମିଳେ ଦେଖା ।
ପ୍ରୀତି ମଧୁବନେ ରୋମାଞ୍ଚେ କଦମ୍ବ
ଉଚ୍ଚାଟଇ ବେଣୁସ୍ୱନ
ଗୋପନଗରୀରେ ଆହ୍ଲାଦିନୀ ରାଧା
ମାନେନା ବାଧା ବନ୍ଧନ ।
ଜୀବ ପରମର ଚାଲେ ନିତ୍ୟ ରାସ
ଉଛୁଳଇ ବଡ଼ଦାଣ୍ଡ
ପହଣ୍ଡି କରନ୍ତି ସ୍ୱୟଂ ଜଗନ୍ନାଥ
ନନ୍ଦିଘୋଷ ସଜବାଜ ।
ଭୋଜନ ସାରିଲେ ହୁଏ ପରିପାକ
କ୍ଷୁଧା ଆକୁଳିତ କରେ
ବିସ୍ମୃତ ଅତୀତ ହୁଏ ସଞ୍ଜିବୀତ
ଉନ୍ମେଷେ ଜନମେ ଫେରେ ।
------

