ଅତି ବଡି ଜଗନ୍ନାଥ ଦାସ
ଅତି ବଡି ଜଗନ୍ନାଥ ଦାସ
ମଧୁର ବିନୟ ବଚନ
କହି ତୋଷିବ ଜନମନ ।
ଜଗତର ହିତେ ଜନ୍ମି ଜଗନ୍ନାଥ
ସୃଷ୍ଟି କଲେ ଭକ୍ତ ଗଣ
କାହାର ଗଳାକୁ ମଧୁକଣ୍ଠୀ କଲେ
ଝରି ଆସେ ସ୍ଵର ତାନ ।
କେଡେ ଦୟାବନ୍ତ ଯଶୋଦାଙ୍କ ସୁତ
ଭକତ ଭାବରେ ବନ୍ଧା
ଏହି ଭାବ ପ୍ଲୁତେ ଜଗନ୍ନାଥ ଦାସ
ଶ୍ରୀହରି ଚରଣେ ଛନ୍ଦା ।
ଅତି ଆନନ୍ଦିତେ ବିହ୍ଵଳିତ ଚିତ୍ତେ
ଜଗନ୍ନାଥ ନାମ ସ୍ମରି
ଅନର୍ଗଳ ଆସେ ସୁମଧୁର ଭାଷା
ସଙ୍ଗେ ଉପଦେଶ ଧରି ।
ହରି ଗୁଣ କ୍ୱଣ ହୁଏ ଗୁଞ୍ଜରିତ
ନାମ ନିଏ ଭାଗବତ
ଏହି ପ୍ରଭୁ ଗ୍ରନ୍ଥେ ହୋଇ ପରିଚିତ
ଜଗନ୍ନାଥ ଦାସ ପ୍ରୀତ ।
ପୁଲ୍ଲକିତ ହୁଏ ତନୁ ମନ ଧ୍ୟାନ
ଭାଗବତ କଥା ଶୁଣି
ମୁଖରିତେ ଭାସେ ଭାଗବତ ଟୁଙ୍ଗି
ଗାଇ ନୀଳମଣି ବାଣୀ ।
ସଂଧ୍ୟା ଅର୍ଘ୍ୟ ପାତି ଗ୍ରାମ ବଧୁ ବସେ
ହୃଦେ ଧ୍ୟାୟୀ ଭଗବାନ
ଭାଗବତ କଥା ପଠନ କରି ସେ
ଜୀବନକୁ କରେ ଧନ୍ୟ ।
ଯଦି ଏକ ବାର ତୂଣୀ ତ୍ୟାଗେ ତୀର
ଫେରିବା ନଥାଏ ଆଶା
ସେହି ରୂପେ ଯଦି ସଂଯମତା ହାରେ
ଭାଷାକୁ ନଦିଶେ ଦିଶା ।
ସ୍ନେହ ପ୍ରୀତି ଦାନେ ମନକୁ ତୋଷିବ
ପ୍ରାଣୀ ହେବେ ଆନନ୍ଦିତ
ହେଉ ବା ମନୁଷ୍ୟ କିବା ଜୀବ ଜନ୍ତୁ
ଆଶିଷେ କରିବେ ସିକ୍ତ ।
ମିଠା ଚୁମ୍ବନକୁ ଶିଶୁ ଓଠେ ଦେବ
ମମତା ବାରିକୁ ଢାଳି
ନିରାଶ୍ରୟ ଜନେ ସାନ୍ତ୍ୱନା ବାଣୀରେ
ଲିଭାଇବ ସର୍ବ ଅଳି ।
ବ୍ରାହ୍ମଣ ପୂଜିବ ସନ୍ତୋଷ ଚିତ୍ତରେ
ବାଢିଣ ଦକ୍ଷିଣା ଦାନ
ଦୃଷ୍ଟି ହୀନ ପଥେ ଲଉଡି ସାଜିଲେ
ଅର୍ଜିବ ମହାନ୍ ପୂଣ୍ୟ ।
ଶାନ୍ତି କାମନାରେ ଜନହିତ କର୍ମେ
ନିଜକୁ ଉତ୍ସର୍ଗ କର
ସୁମିଷ୍ଟ ଭାଷାରେ କାନ୍ତାକୁ ମୋହିବ
ଏମନ୍ତ ବିଚାର ଧର ।
ବିନମ୍ର ଭାବନା ହୃଦୟେ ଜଗାଇ
ସେବିବ ଶ୍ରୀଗୁରୁ ପାଦ
ଭାଗ୍ୟର ଆକାଶେ ଜ୍ଞାନର ପ୍ରକାଶେ
ଲିଭି ଯିବ ତମ ଶଦ୍ଦ ।
ଜଗତକୁ ଧର୍ମ ପଥେ ଘେନି ଯାଏ
କଳି ଯୁଗେ ଭାଗବତ
ଜଗନ୍ନାଥ ଦାସ କରୁଣା ବଳରେ
ସର୍ବ ଜନ ଉପକୃତ ।
