STORYMIRROR

Anita Dash

Abstract Tragedy Fantasy

4  

Anita Dash

Abstract Tragedy Fantasy

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
241


ଫୁଲପରି ନରମ ଦେହରେ ମୋର

ଫୁଲଠାରୁ ସୁକୋମଳ ହୃଦୟଟି ନେଇ,

ସ୍ୱପ୍ନ ଦେଖେ ମନ ମୋର

ମିଠା ମିଠା ପବନରେ ଉଡ଼ିଯାଇ

ମୋ ଦେହର ମହକକୁ ବଞ୍ଚିଦେବାପାଇଁ।


ସେଦିନ ମୁଁ ;

ସପନର ସାଥେ ସାଥେ

ଡେଇଁ ଡେଇଁ ଚାଲିଗଲା ବେଳେ

କେହି ଜଣେ ନିହାତି ନିଜର ହୋଇ

ଭେଟି ଦେଇଥିଲା ହଳେ ମହମର ଡେଣା ।

ଖୁସିରେ ମୁଁ ଭିଜିଗଲି, ଉଡିବାର ମଜି ଗଲି ,

ସୁନ୍ଦର ଆକାଶ ତଳେ ହାତ ଗୋଡ ମେଲି ।


ଆଃ!!

ଏ କଣ??

ସୂରୁଯର ଅସହ୍ୟ ସେ ତତଲା ନିଆଁରେ

ତରଳି ତରଳି ଗଲା ମହାମର ଡେଣା,

ଆଉ ଛିଟିକି ପଡିଲି ମୁଁ ଏକ

ମନୋହର ପୁଷ୍ପ ଉଦ୍ୟାନରେ !


ସୁନ୍ଦର ସୁମନ ଦେଖି ଭୁଲିଗଲି ଅଚାନକ

ପତନର କ୍ଲୀଷ୍ଟ ।

ସାଇତି ରଖିବାପାଇଁ ସରାଗରେ

ତୋଳି ଆଣୁ ଆଣୁ ଏକ ସୁନ୍ଦର କୁସୁମ,

ତା ଭିତରେ ଲୁକ୍କାୟିତ ଦୁଷ୍ଟ ଏକ କୀଟ ଦଂଶନରେ

କ୍ଷତାକ୍ତ ହୋଇଲା ମୋର ସର୍ବାଙ୍ଗ ଶରୀର ।

ଝରିଗଲା ଝର ଝର ରୁଧିରର ଧାର,

ଆଉ! ତା ସହିତ ମିଶି ଗଲା ମୋ ଆଖିର

ପାଣିଚିଆ ଲୋତକର ଧାରା ।


ତଥାପିବି !

ତଥାପିବି ସ୍ବପ୍ନ ଦେଖା ନିଶା ମୋର ହେଲାନାହିଁ ଅନ୍ତ।

ଅଦୂରରୁ ଦେଖିଦେଇ ଇନ୍ଦ୍ରଧନୁ ସିଡି,

ଚଢିଗଲି ଖୁସିହୋଇ ପାର ହେବା ପାଇଁ

ଏପାରିରୁ ସେପରିର ପାହାଡ ଚୂଳକୁ ।

ପାହାଡର ମଥା ଛୁଇଁ ଚାଲୁଥିବା

ଭସା ଭସା ସେଇ କଳାମେଘର କୋଳକୁ ।


ଅଚିହ୍ନା ସେ ମେଘମାଳା ଖୁବ ସ୍ନେହ

ଅଜାଡି ଦେଲା ମୋ ପାଇଁ

ସବୁଠାରୁ ଆପଣାର ପ୍ରିୟଜନ ପରି ।

ମନ ମୋର ବୋହିଗଲା,

ହୃଦୟଟି ନଇଁଗଲା,

ବିଶ୍ୱାସଟି କେତେ ମିଠା ବାସିଗଲା ଆହା !

ତା ପିଠିରେ ବସିଗଲି

କେତେ ଖୁସି ହେଉଥିଲି

ବୁଲି ବୁଲି ଦେଖୁଥିଲି ଆକାଶ ଦୁନିଆଁ ।


ହେଲେ !!

ଧସେଇ ଆସିଲା ସେହି

ନିଉଛୁଣା କାଲୁଆ ପବନ

ଧାଇଁ ଯାଇ ମେଘ ପାଶେ,

ଦେହକୁତା ଗଲା ଯେବେ ଛୁଇଁ ;

ମୋହ ବିଷ୍ଟ ହୋଇ ସିଏ

ଝର ଝର ଝରିଗଲା ବରଷାଟି ହୋଇ ।

ବିହ୍ୱଳେ ମୋ ହାତ ଛାଡି ଦେଇ ,

ତା ନିଜର ଅସ୍ତିତ୍ବ ହରାଇ !

ପୁନର୍ବାର ହେଲି ମୁଁ ପତିତ

ଶକ୍ତ ଏକ ଶିଳାଖଣ୍ଡ ପରେ

ଗଭୀର କ୍ଷତାକ୍ତ ଓ ମୁର୍ମୂଷୁ ହୋଇ ।


ହୋଇଗଲା

ସ୍ବପ୍ନର ମୋହ ଭଙ୍ଗ ମୋର।

ପ୍ରକାଶ୍ୟରେ କାନରେ ମୋ ବାରମ୍ବାର

କେ ଯେମିତି ଯାଉଥିଲା କହି,

"ଅସୁରକ୍ଷିତ ପରୀ ତୁ ସ୍ୱପ୍ନ ଦେଖୁ କାହିଁ?.........

ଅସୁରକ୍ଷିତ ପରୀ ତୁ ସ୍ୱପ୍ନ ଦେଖୁ କାହିଁ?"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract