ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ
ଫୁଲପରି ନରମ ଦେହରେ ମୋର
ଫୁଲଠାରୁ ସୁକୋମଳ ହୃଦୟଟି ନେଇ,
ସ୍ୱପ୍ନ ଦେଖେ ମନ ମୋର
ମିଠା ମିଠା ପବନରେ ଉଡ଼ିଯାଇ
ମୋ ଦେହର ମହକକୁ ବଞ୍ଚିଦେବାପାଇଁ।
ସେଦିନ ମୁଁ ;
ସପନର ସାଥେ ସାଥେ
ଡେଇଁ ଡେଇଁ ଚାଲିଗଲା ବେଳେ
କେହି ଜଣେ ନିହାତି ନିଜର ହୋଇ
ଭେଟି ଦେଇଥିଲା ହଳେ ମହମର ଡେଣା ।
ଖୁସିରେ ମୁଁ ଭିଜିଗଲି, ଉଡିବାର ମଜି ଗଲି ,
ସୁନ୍ଦର ଆକାଶ ତଳେ ହାତ ଗୋଡ ମେଲି ।
ଆଃ!!
ଏ କଣ??
ସୂରୁଯର ଅସହ୍ୟ ସେ ତତଲା ନିଆଁରେ
ତରଳି ତରଳି ଗଲା ମହାମର ଡେଣା,
ଆଉ ଛିଟିକି ପଡିଲି ମୁଁ ଏକ
ମନୋହର ପୁଷ୍ପ ଉଦ୍ୟାନରେ !
ସୁନ୍ଦର ସୁମନ ଦେଖି ଭୁଲିଗଲି ଅଚାନକ
ପତନର କ୍ଲୀଷ୍ଟ ।
ସାଇତି ରଖିବାପାଇଁ ସରାଗରେ
ତୋଳି ଆଣୁ ଆଣୁ ଏକ ସୁନ୍ଦର କୁସୁମ,
ତା ଭିତରେ ଲୁକ୍କାୟିତ ଦୁଷ୍ଟ ଏକ କୀଟ ଦଂଶନରେ
କ୍ଷତାକ୍ତ ହୋଇଲା ମୋର ସର୍ବାଙ୍ଗ ଶରୀର ।
ଝରିଗଲା ଝର ଝର ରୁଧିରର ଧାର,
ଆଉ! ତା ସହିତ ମିଶି ଗଲା ମୋ ଆଖିର
ପାଣିଚିଆ ଲୋତକର ଧାରା ।
ତଥାପିବି !
ତଥାପିବି ସ୍ବପ୍ନ ଦେଖା ନିଶା ମୋର ହେଲାନାହିଁ ଅନ୍ତ।
ଅଦୂରରୁ ଦେଖିଦେଇ ଇନ୍ଦ୍ରଧନୁ ସିଡି,
ଚଢିଗଲି ଖୁସିହୋଇ ପାର ହେବା ପାଇଁ
ଏପାରିରୁ ସେପରିର ପାହାଡ ଚୂଳକୁ ।
ପାହାଡର ମଥା ଛୁଇଁ ଚାଲୁଥିବା
ଭସା ଭସା ସେଇ କଳାମେଘର କୋଳକୁ ।
ଅଚିହ୍ନା ସେ ମେଘମାଳା ଖୁବ ସ୍ନେହ
ଅଜାଡି ଦେଲା ମୋ ପାଇଁ
ସବୁଠାରୁ ଆପଣାର ପ୍ରିୟଜନ ପରି ।
ମନ ମୋର ବୋହିଗଲା,
ହୃଦୟଟି ନଇଁଗଲା,
ବିଶ୍ୱାସଟି କେତେ ମିଠା ବାସିଗଲା ଆହା !
ତା ପିଠିରେ ବସିଗଲି
କେତେ ଖୁସି ହେଉଥିଲି
ବୁଲି ବୁଲି ଦେଖୁଥିଲି ଆକାଶ ଦୁନିଆଁ ।
ହେଲେ !!
ଧସେଇ ଆସିଲା ସେହି
ନିଉଛୁଣା କାଲୁଆ ପବନ
ଧାଇଁ ଯାଇ ମେଘ ପାଶେ,
ଦେହକୁତା ଗଲା ଯେବେ ଛୁଇଁ ;
ମୋହ ବିଷ୍ଟ ହୋଇ ସିଏ
ଝର ଝର ଝରିଗଲା ବରଷାଟି ହୋଇ ।
ବିହ୍ୱଳେ ମୋ ହାତ ଛାଡି ଦେଇ ,
ତା ନିଜର ଅସ୍ତିତ୍ବ ହରାଇ !
ପୁନର୍ବାର ହେଲି ମୁଁ ପତିତ
ଶକ୍ତ ଏକ ଶିଳାଖଣ୍ଡ ପରେ
ଗଭୀର କ୍ଷତାକ୍ତ ଓ ମୁର୍ମୂଷୁ ହୋଇ ।
ହୋଇଗଲା
ସ୍ବପ୍ନର ମୋହ ଭଙ୍ଗ ମୋର।
ପ୍ରକାଶ୍ୟରେ କାନରେ ମୋ ବାରମ୍ବାର
କେ ଯେମିତି ଯାଉଥିଲା କହି,
"ଅସୁରକ୍ଷିତ ପରୀ ତୁ ସ୍ୱପ୍ନ ଦେଖୁ କାହିଁ?.........
ଅସୁରକ୍ଷିତ ପରୀ ତୁ ସ୍ୱପ୍ନ ଦେଖୁ କାହିଁ?"
